ଭର୍ତ୍ତୃହରିଙ୍କ ତଥ୍ୟର ସତ୍ୟତା ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପାଖେଇବା ସହିତ ବଢୁଛି ନେତାଙ୍କ ବୟାନବାଜି | କେବଳ ଏତିକି ନୁହଁ ବିଭିନ୍ନ ରାଜନୈତିକ ଦଳ ଓ ନେତାମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ମିଛ ବିବୃତ୍ତି ଦେବା ଓ ଭୁଲ ତଥ୍ୟ ଦେଇ ସାମ୍ବାଦିକ ସମ୍ମିଳନୀ କରିବା ମଧ୍ୟ ଆରମ୍ଭ ହୋଇଯାଇଛି | ଆଉ ବର୍ତ୍ତମାନର ମୁଖ୍ୟ ଧାରାର ଗଣମାଧ୍ୟମ ନେତାମାନେ ଦେଉଥିବା ତଥ୍ୟର ସତ୍ୟାସତ୍ୟ ଯାଞ୍ଚ ନକରି ଏହାକୁ ନେଇ ଖବର ମଧ୍ୟ ପରିବେଷଣ କରୁଛନ୍ତି |

ଗତକାଲି ଏକାଧିକ ଥର କଟକ ଲୋକସଭାରୁ ସାଂସଦ ରହିଥିବା ତଥା ନିକଟରେ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ଭର୍ତ୍ତୃହରି ମହତାବ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ | ବର୍ତ୍ତମାନ ରାଜ୍ୟରେ ଖରା ବଢିବା ସହିତ ଜଳ କଷ୍ଟ ସମସ୍ୟା ରାଜ୍ୟବାସୀ ଭୋଗୁଛନ୍ତି | ଏପରିକି ଦୂଷିତ ପାନୀୟ ଜଳ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ହଇଜା ଓ ଜଣ୍ଡିସ ଭଳି ରୋଗ ମଧ୍ୟ ବ୍ୟାପୁଛି | ଠିକ ଏହି ସମୟରେ ଭର୍ତ୍ତୃହରି ପାନୀୟ ଜଳ ସମସ୍ୟା ଭଳି ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଏହି ସାମ୍ବାଦିକ ସମ୍ମିଳନୀରେ ଉଠାଇଲେ | ସେ କହିଥିଲେ, କେନ୍ଦ୍ର ସରକାରଙ୍କ ‘ଜଳ ଜୀବନ ମିଶନ’ ଅଧୀନରେ ‘ହର ଘର ନଳ ଜଳ ଯୋଜନା’ରେ ପ୍ରତି ମପାରିବାର ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାକୁ ଯୋଜନା କରାଯାଇଛି | ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର 50-50 ଅନୁପାତରେ ଅର୍ଥ ଖର୍ଚ୍ଚ କରିବାର ନିୟମ ରହିଛି | ବିଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦଶ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଓଡିଶା ପାଇଁ ଏହି ଯୋଜନାରେ ଆବଣ୍ଟିତ କରିଥିବାବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର 824 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଭର୍ତ୍ତୃହରି ଅଭିଯୋଗ କରିଥିଲେ | ଆଉ ତଥ୍ୟ CAG ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ସେ କହିଥିଲେ |

ହେଲେ ବାସ୍ତବରେ CAGଙ୍କର କୌଣସି ରିପୋର୍ଟରେ ଏଭଳି କୌଣସି ତଥ୍ୟ ନାହିଁ | ସେପଟେ ସଂସଦର ଗତ ଅଧିବେଶନରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଜନାର୍ଦ୍ଦନ ସିଂ ସିଗ୍ରୀୱାଲ ‘ହର ଘର ନଳ ଜଳ ଯୋଜନା’ରେ ଓଡିଶାକୁ କେଉଁ ବର୍ଷ କେତେ ଅର୍ଥ ଦିଆଯାଇଛି, କେତେ ଖର୍ଚ୍ଚ ହୋଇଛି ସେନେଇ ବିସ୍ତୃତ ତଥ୍ୟ ରଖିଥିଲେ | କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ‘ହର ଘର ନଳ ଜଳ ଯୋଜନା’ରେ ଓଡିଶା ପାଇଁ 2020-21 ମସିହାରେ ଓପନିଂ ବାଲାନ୍ସ ଥିଲା 90.5 କୋଟି, ଆବଂଟିତ ହେଲା 812.15 କୋଟି, ରିଲିଜ ହେଲା 609.61 କୋଟି, ଉପଲବ୍ଦ ହେଲା 699.61 କୋଟି, ବ୍ୟବହାର ହେଲା 688.09 କୋଟି ଓ 637 କୋଟି ରାଜ୍ୟ ଅଂଶ ଅଧୀନରେ ଖର୍ଚ୍ଚ ହୋଇଥିଲା |

ସେହିପରି 2021-22ରେ ଓପନିଂ ବାଲାନ୍ସ ଥିଲା 10.93 କୋଟି, ଆବଂଟିତ ହେଲା 3323.42 କୋଟି, ରିଲିଜ ହେଲା 2492.56 କୋଟି, ଉପଲବ୍ଦ ହେଲା 2503,49 କୋଟି, ବ୍ୟବହାର ହେଲା 1306.20 କୋଟି ଓ 1289.72 କୋଟି ରାଜ୍ୟ ଅଂଶ ଅଧୀନରେ ଖର୍ଚ୍ଚ ହୋଇଥିଲା | 2022-23ରେ ଓପନିଂ ବାଲାନ୍ସ ଥିଲା 1197.29 କୋଟି, ଆବଂଟିତ ହେଲା 3608.62 କୋଟି, ରିଲିଜ ହେଲା 1768.73 କୋଟି, ଉପଲବ୍ଦ ହେଲା 2966.06 କୋଟି, ବ୍ୟବହାର ହେଲା 2166.47 କୋଟି ଓ 2149.96 କୋଟି ରାଜ୍ୟ ଅଂଶ ଅଧୀନରେ ଖର୍ଚ୍ଚ ହୋଇଥିଲା | 2023-24ରେ ଓପନିଂ ବାଲାନ୍ସ ଥିଲା 799.56 କୋଟି, ଆବଂଟିତ ହେଲା 2108.54 କୋଟି, ରିଲିଜ ହେଲା 1054.27 କୋଟି, ଉପଲବ୍ଦ ହେଲା 1853.83 କୋଟି, ବ୍ୟବହାର ହେଲା 1266.25 କୋଟି ଓ 1258.25 କୋଟି ରାଜ୍ୟ ଅଂଶ ଅଧୀନରେ ଖର୍ଚ୍ଚ ହୋଇଥିଲା | ଆଉ ଏହି ପାଞ୍ଚ ବର୍ଷରେ ରାଜ୍ୟର ଅଂଶ ବାବଦରେ ମୋଟ 5370 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସଂସଦରେ ଉତ୍ତର ଦେଇଛନ୍ତି |

ହେଲେ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ବିଗତ ପାଞ୍ଚ ବର୍ଷ ମଧ୍ୟରେ ‘ହର ଘର ନଳ ଜଳ ଯୋଜନା’ରେ କେନ୍ଦ୍ର ସରକାର ଦଶ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଓଡିଶା ପାଇଁ ଆବଣ୍ଟିତ କରିଥିବାବେଳେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର 824 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ଆଉ ତଥ୍ୟ CAG ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ସେ କହିଛନ୍ତି | ହେଲେ ବାସ୍ତବରେ CAGଙ୍କର କୌଣସି ରିପୋର୍ଟରେ ଏଭଳି ତଥ୍ୟ ନାହିଁ | ଅନ୍ୟପଟେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଉତ୍ତର ଭିନ୍ନ କଥା କହୁଛି | ଏପରିକି ଭର୍ତ୍ତୃହରି ଦେଇଥିବା ତଥ୍ୟ ଭୁଲ କି? ବୋଲି ମଧ୍ୟ ପ୍ରଶ୍ନ ଉଠୁଛି |

ରାଜ୍ୟରେ ବାସ୍ତବରେ ପାନୀୟ ଜଳର ସମସ୍ୟା ରହିଥିବାବେଳେ, ଦୂଷିତ ଜଳ ପିଇ ଲୋକେ ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି | ଏଭଳି ସମୟରେ ଭର୍ତ୍ତୃହରି ମହତାବଙ୍କ ଭଳି ବରିଷ୍ଠ ରାଜନେତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉଠାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଭରସାଯୋଗ୍ୟ ତଥ୍ୟ ନଦେବା ଚର୍ଚ୍ଚାର ବିଷୟ ପାଲଟିଛି | ସେପଟେ ଭର୍ତ୍ତୃହରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଏପର୍ଯ୍ୟନ୍ତ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ |

Related Posts