(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି ହେଉଛି। ଵିଜୁଳି ଉତ୍ପାଦନ ପିକ୍ ସମୟରେ ସାଢେ ୪ହଜାର ମୋଗାୱାଟରେ ପହଞ୍ଚି ଥିବାବେଳେ ବଳକା ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି କରି ଦିଆଯାଉଛି । ବାହାର ରାଜ୍ୟକୁ ବଳକା ବିଜୁଳି ବିକ୍ରି କରାଯାଉଥିବା ବେଳେ ସାରା ରାଜ୍ୟରେ ବର୍ଷାଦିନେ ବି ବିଜୁଳି କାଟ୍ ଅଭିଯୋଗ ଶୁଣିବାକୁ ମିଳୁଛି।
ଖୋଦ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦିନକୁ ତିନି ଚାରିଥର ବିଜୁଳି କାଟ୍ ହେଉଥିବାର ଅଭିଯୋଗ ଆସିଛି । ଉପଭୋକ୍ତା ଯଦି ସ୍ଥାନୀୟ ବିଦ୍ୟୁତ୍ ଅଫିସ୍କୁ ଫୋନ୍ କରନ୍ତି ତେବେ ମରାମତି କାମ ଚାଲିଛି କହି ଫୋନ୍ ରଖି ଦେଉଛନ୍ତି । ରାତି ଅଧରେ ଯଦି ବିଦ୍ଯୁତ୍ କଟି ଯାଉଛି ତେବେ ସକାଳ ନହେବା ପର୍ଯ୍ୟନ୍ତ ଫେରିବା କଷ୍ଟକର । ଭୁବନେଶ୍ୱରର ପୋଖରୀପୁଟ, ଖଣ୍ଡଗିରି, ପଟିଆ, କେଶୁରା ଆଦି ଅଞ୍ଚଳରେ ଏହି ସମସ୍ୟା ଏବେ ଲୋକଙ୍କ ପାଇଁ ନିତି ଦିନିଆ କଥା ହୋଇଗଲାଣି ।
ଯଦି ରାଜଧାନୀ ଅଞ୍ଚଳରେ ବିଦ୍ୟୁତ କାଟ୍ ଅଭିଯୋଗ ଆସୁଛି ତେବେ ଅନ୍ୟ ଜିଲ୍ଲାର ଅବସ୍ଥା ନକହିଲେ ଭଲ । ଉପକୂଳର କେନ୍ଦ୍ରାପଡା, ଜଗତ୍ସିଂହପୁର, ପୁରୀ ଆଦି ଜିଲ୍ଲାରେ ବିଜୁଳି କାଟ୍ରେ ଲୋକେ ଅତିଷ୍ଠ ହୋଇଗଲେଣି । ଜଗତ୍ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଅତି କମ୍ରେ ୪ ରୁ ୫ ଘଣ୍ଟା ବିଜୁଳି କାଟ୍ ହେଉଥିବା ନେଇ ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି । ତେବେ ବର୍ଷା ଦିନେ କାହିଁକି ବିଜୁଳି କଟୁଛି ତାହାର ଉତ୍ତର କିନ୍ତୁ କେହି ଦେଉ ନାହାନ୍ତି । ସ୍ଥିତି ଏତେ ଖରାପ ଯେ ଯଦି ଆକାଶରେ ବର୍ଷା ଦେଖାଦେଲେ ତେବେ ସଙ୍ଗେ ସଙ୍ଗେ ଲାଇନ୍ କଟିଯାଉଛି । ଦିନବେଳା ଯଦି ଲାଇନ୍ କଟୁଛି ତେବେ ୨/୩ ଘଣ୍ଟାରେ ଚାଲି ଆସୁଥିବାବେଳେ ରାତିବେଳା ଯଦି ଚାଲିଯାଏ ତେବେ ତା ପରଦିନ ବିଜୁଳି ମିଳୁଛି ବୋଲି ଲୋକେ କହୁଛନ୍ତି ।
ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଘୋଷିତ ବିଦ୍ୟୁତ୍ କାଟ୍ କୁ ନେଇ ସବୁବେଳେ ସାମ୍ନାକୁ ଆସୁଛି । ବିଜୁଳି ବଣ୍ଟନ ଦାୟିତ୍ୱରେ ରିଲାୟନ୍ସ ଓ ରାଜ୍ୟ ସରକାର ଓହରି ଯିବା ପରେ ଆଗାମୀ ୨୫ବର୍ଷ ପାଇଁ ଟାଟା ପାୱାର ହାତରେ ଏହି ମୌଳିକ ସେବା ଦାୟିତ୍ୱ ଟେକି ଦିଆଯାଇଛି ।
ବିଡମ୍ବନାର କଥା ହେଉଛି ଯେବେ ଠାରୁ ଟାଟା ପାୱାର ହାତକୁ ବିଜୁଳି ସେବା ଦାୟିତ୍ବ ଯାଇଛି ସେବେଠାରୁ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ବି ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେଉଛି। ବର୍ଦ୍ଧିତ ବିଜୁଳି ଦର ପରେ ବିଜୁଳି କାଟ୍ ଏବେ ଗ୍ରାହକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ।
ସୂଚନାଯୋଗ୍ୟ ଯେ ରାଜ୍ୟବାସୀଙ୍କୁ ବିଜୁଳି ଅଭାବର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ୨୦୧୪-୧୫ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ୬ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଜୁଳି ବିକ୍ରିକରି ସାରିଲେଣି । ପ୍ରତିବର୍ଷ ବିକ୍ରି ହେଉଥିବା ବିଜୁଳିର ପରିମାଣ ବଢି ବଢି ଚାଲିଥିବାବେଳେ ରାଜ୍ୟରେ ଘନ ଘନ ବିଜୁଳି କାଟରେ ରାଜ୍ୟବାସୀ ଛଟପଟ ହେଉଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟରେ ଯଦିଓ ବଳକା ବିଜୁଳି ଉତ୍ପାଦନ ହେଉଛି ଏହାର ଗୋଟିଏ ବଡ ଅଂଶ ଏକ ପ୍ରକାର ପବନରେ ମିଳେଇ ଯାଉଛି । କାରଣ ରକ୍ଷଣା ବେକ୍ଷଣ ଓ ଭିତ୍ତିଭୂମି ଅଭାବ ଯୋଗୁଁ ଏବେ ବି ଚାରିଟି ବିତରଣ କମ୍ପାନୀର ପରିବହନ ଏବଂ ବିତରଣ ଜନିତ କ୍ଷତି ୧୯ରୁ ୨୪ ପ୍ରତିଶତ ରହିଛି । ଏହି ସମସ୍ୟାକୁ ବିଜୁଳି କାଟ୍ର ଅନ୍ୟତମ କାରଣ ବୋଲି କୁହାଯାଉଛି ।
