୧୦ଟି ରାଜ୍ୟରେ କୋଇଲା ସଙ୍କଟ; ଅସହ୍ୟ ତାତିରେ ହେବ ବିଦ୍ୟୁତ କାଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟମାନଙ୍କରେ କୋଇଲା ସଙ୍କଟ ଦେଖାଦେଇଛି । ଯାହର ପ୍ରଭାବ ସିଧାସଳଖ ବିଦ୍ୟୁତ ଉତ୍ପାଦନରେ ପଡ଼ିଛି । ଗୋଟିଏ ପଟେ ସାରା ଦେଶରେ ତାତି ବଢ଼ିବାରେ ଲାଗିଛି । ଏପରିସ୍ଥଳେ ବିଦ୍ୟୁତ ସଙ୍କଟ ଘନେଇବାରେ ଲାଗିଛି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦଶଟି ରାଜ୍ୟରେ କୋଇଲା ଅଭାବ ଦେଖାଦେଇଛି । ସେପଟେ ଖରାଦିନେ ବିଦ୍ୟୁତ ଚାହିଦା ବୃଦ୍ଧି ଏବଂ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ କାଟ ବୃଦ୍ଧି ପାଇଛି । ସେପଟେ ବିଦ୍ୟୁତ୍ ଉତ୍ପାଦନକାରୀଙ୍କ ନିକଟରେ ବର୍ତ୍ତମାନ ଅଳ୍ପ କୋଇଲା ଗଚ୍ଛିତ ଥିବା ଜଣାପଡିଛି। ଗ୍ରୀଷ୍ମଋତୁ ପୂର୍ବରୁ ସେମାନଙ୍କ ପାଖରେ ଯେତିକି କୋଇଲା ମହଜୁଦ ରହିବା କଥା, ଏଥର ସେତିକି ନାହିଁ। ବରଂ ତାହା ୯ ବର୍ଷର ସର୍ବନିମ୍ନ ସ୍ତରକୁ କମିଯାଇଛି। ଅନ୍ୟପକ୍ଷରେ ଦେଶରେ ବିଦ୍ୟୁତ୍ ଚାହିଦାରେ ଦ୍ରୁତବୃଦ୍ଧି ଘଟିବାରେ ଲାଗିଛି। ଗତ ୩୮ ବର୍ଷ ମଧ୍ୟରେ ବିଜୁଳି ଚାହିଦା ବୃଦ୍ଧି ହାର ଏଥର ସର୍ବାଧିକ ରହିବ ବୋଲି ଅନୁମାନ କରାଯାଉଛି। ଯୋଗାଣ ଓ ଚାହିଦା ମଧ୍ୟରେ ପାର୍ଥକ୍ୟ ବଢ଼ୁଥିବାରୁ ଆଗକୁ ପରିସ୍ଥିତି ଖରାପ ହେବା ନିଶ୍ଚିତ। ଗତ ସପ୍ତାହ ଦେଶରେ ବିଦ୍ୟୁତ ଚାହିଦା ୧.୪ ପ୍ରତିଶତ କମ୍ ରହିଥିଲା।

ଗତବର୍ଷ ଅକ୍ଟୋବରରେ ଭୟଙ୍କର କୋଇଲା ସଂକଟ ବେଳେ ବିଜୁଳି ଚାହିଦା ତୁଳନାରେ ଯୋଗାଣରେ ୧ ପ୍ରତିଶତ ଅଭାବ ରହିଥିଲା। ସେହିଭଳି ମାର୍ଚ୍ଚ ମାସରେ ମଧ୍ୟ ଯୋଗାଣ ସ୍ଥିତି ଠିକ୍ ନଥିଲା। ସେହିମାସରେ ଦେଶରେ ବିଜୁଳି ଅଭାବ ୦.୫ ପ୍ରତିଶତ ରହିଥିଲା। କୋଇଲା ସଙ୍କଟ ଯୋଗୁଁ ଆନ୍ଧ୍ର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ପଞ୍ଜାବ, ହରିଆଣା, ରାଜସ୍ଥାନ, ତେଲେଙ୍ଗାନା, ଗୁଜରାଟ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବିଦ୍ୟୁତ କାଟ୍ ଆରମ୍ଭ ହୋଇଗଲାଣି। ଏସବୁ ରାଜ୍ୟରେ ବିଜୁଳି ଅଭାବ ୩ ପ୍ରତିଶତରୁ ଅଧିକ ସ୍ତରରେ ପହଞ୍ଚିଲାଣି। ଆନ୍ଧ୍ର ପ୍ରଦେଶରେ କାର କମ୍ପାନି କିଆ ମୋର୍ଟସ ଏବଂ ଔଷଧ କମ୍ପାନି ଫାଇଜର ଭଳି କାରଖାନା ରହିଛି। ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଦେଶରେ ବିଜୁଳି ନିଅଣ୍ଟ ୮.୭ ପ୍ରତିଶତ ଭଳି ସ୍ତରରେ ପହଞ୍ଚିଲାଣି। ଫଳରେ ସେଠାରେ ସରକାର ବ୍ୟାପକ ମାତ୍ରାରେ ବିଜୁଳି କାଟ୍ କରିବାକୁ ବାଧ୍ୟ ହେଲେଣି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts