(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ହୀରାକୁଦ ଡ୍ୟାମ୍ରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ପାଣି ପଶିଛି । ଶୁକ୍ରବାର ମହାନଦୀ ଜଳ ମନ୍ଦିରର ମୁଖ୍ୟଦ୍ବାରକୁ ଛୁଇଁଥିଲା । ମନ୍ଦିରର ମୁଖ୍ୟଦ୍ୱାରକୁ ପାଣି ଛୁଇଁବାରୁ ମନ୍ଦିର ମୁଖଶାଳାକୁ ବନ୍ଦ କରିଦିଆଯାଇଛି। ମନ୍ଦିରର ନୀତିଦ୍ୱାର ଦେଇ ଦର୍ଶନ କରୁଛନ୍ତି ଭକ୍ତ । ଜଳସ୍ତର ଅଧିକ ବଢ଼ିଲେ ମନ୍ଦିର ଭିତରକୁ ପାଣି ପଶିବା ସହ ମା’ ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ହୀରାକୁଦ ଡ୍ୟାମ୍ରୁ ବନ୍ୟା ଜଳ ଛଡ଼ାଯିବା ପରେ ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି। ଓରବରସିଂହ, ବ୍ରଜମୋହନପୁର, ନରଣଗଡ଼ ପଞ୍ଚାୟତ ଏବେ ପାଣି ଘେରରେ ଥିବା ବେଳେ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ଯାଇଛନ୍ତି। ତଳିଆ ଗାଁଗୁଡ଼ିକରେ ରାଜୁଆ, ମଲାଗୁଣୀ, ଓ ଦୟାନଦୀ ପାଣି ପଶି ଚାରିଆଡ଼େ ଜଳମଗ୍ନ ହୋଇଗଲାଣି।
ଅନ୍ୟପକ୍ଷରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ୧୦ଟାରେ ମୁଣ୍ଡଳିରେ ୬.୨୬ ଲକ୍ଷ କ୍ୟୁସେକ ଜଳ ପାସ୍ କରିଛି। ତେବେ ଆଜି ରାତି ୧୨ଟା ସୁଦ୍ଧା ସାଢ଼େ ୭ ଲକ୍ଷ କ୍ୟୁସେକ ଜଳ ପାସ୍ କରିବ, ତେଣୁ ଏହା ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ହୀରାକୁଦରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି, ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ହୀରାକୁଦର ଜଳସ୍ତର ଖସୁଛି। ତେବେ ଆଗକୁ ଆଉ ଗେଟ୍ ଖୋଲାଯିବ ନାହିଁ ବୋଲି ସୂଚନା ମିଳିଛି।