୨୭୫ କୋଟି ଟଙ୍କା ବ୍ୟୟବରାଦ ମଧ୍ୟରେ ଆସନ୍ତା ଅଢେଇ ବର୍ଷରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ଭୂତଳ ପ୍ରାସାଦ: ବାଚସ୍ପତି

ବିଧାୟକଙ୍କ ପାଇଁ ନିର୍ମାଣ ହେବ ଭୂତଳ ପ୍ରାସାଦ । ୨୭୫ କୋଟି ଟଙ୍କା ବ୍ୟୟବରାଦ ମଧ୍ୟରେ ଆସନ୍ତା ଅଢେଇ ବର୍ଷରେ ଶେଷ ହେବ ନିର୍ମାଣ କାର୍ଯ୍ୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ୍ ଇଞ୍ଜିନିୟରଙ୍କୁ ୫୦ କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ବାକି ୨୨୫ କୋଟି ଟଙ୍କା ଅର୍ଥ ବିଭାଗ ଦେବ । ଏଥିପାଇଁ ବଜେଟରେ ବ୍ୟବସ୍ଥା ଦେବ । ବିଧାୟକ କ୍ୱାର୍ଟରର ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏପରି କହିଛନ୍ତି ।

ବିଧାୟକ କଲୋନୀରେ ଏବେ ବି ୭ ଜଣ ବିଧାୟକ କ୍ୱାର୍ଟର ଛାଡିବେ । ଚଳିତ ମାସ ୧୮ରୁ ୨୫ ତାରିଖ ମଧ୍ୟରେ ଏହି ୭ ଜଣ ଘର ଛାଡିବେ । ଏବେ ପୁରୁଣା ଘର ଭଙ୍ଗା ହେବ । କ୍ୱାର୍ଟର ନିର୍ମାଣ ପାଇଁ ଟେଣ୍ଡର ସରିଛି । ବଡ ବଡ କମ୍ପାନୀ ଅଂଶ ଗ୍ରହଣ କରିଛନ୍ତି । ୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ ବୋଲି ସେ କହିଛନ୍ତି । ଏହି ବିଲଡିଂରେ ମାର୍କେଟ କମ୍ପଲେକ୍ସ , ମେଡିକାଲ ବ୍ୟବସ୍ଥା, ୨ ହଜାର ଲୋକ ଭୋଜି ଖାଇବା ଭଳି ବ୍ୟବସ୍ଥା ରହିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଆସନ୍ତାକାଲି (ମଙ୍ଗଳବାର) ବିଧାନସଭା ବଜେଟ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ । ବୈଠକ ପୂର୍ବାହ୍ନ ସାଢେ 11 ଟାରେ ବସିବ । ବିଧାନସଭାର ବଜେଟ ଅଧିବେଶନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆହୁତ କରାଯାଇଛି ।
ବଜେଟ ଅଧିବେଶନକୁ ସୁଚାରୂପେ ପରିଚାଳନା ପାଇଁ ଶାସକ ଦଳର ମୁଖ୍ୟ ସଚେତକଙ୍କ ସହ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳର ନେତା ବୈଠକରେ ଆଲୋଚନା କରିବେ । ଆସନ୍ତା 25 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । 25 ରୁ 31 ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମଦିନ ରାଜ୍ୟପାଳ ଗୃହରେ ନିଜ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଲଗାତାର ଦୁଇ ଦିନ ଧରି 26 ଓ 27 ଆଲୋଚନା ହେବ । 30ରେ ବଜେଟ ଉପସ୍ଥାନ ହେବ । 31ରେ ବଜେଟକୁ ଗୃହର ମଞ୍ଜୁରି ମିଳିବ ।

Related Posts