ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅନେକ ସମୟରେ ହିଂସା ଦେଖିବାକୁ ମିଳୁଛି । ସେ ନିର୍ବାଚନୀ ହିଂସା ହେଉ ଅବା ନାର୍ବଚନ ପରବର୍ତ୍ତୀ ହିଂସା । କି ସାଧାରଣ ହିଂସା । ଯାହା ସବୁ ବେଳେ ଚର୍ଚ୍ଚାର ପରିସରକୁ ଆସୁଛି । ସେପଟେ ଲାଗି ରହୁଥିବା ହିଂସା କୁ ନେଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି କଂଗ୍ରେସ। କ୍ଷମତାସୀନ ଟିଏମସି ସରକାର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବାରେ ଅକ୍ଷମ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କହିଛନ୍ତି। ଏ ସଂକ୍ରାନ୍ତରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି।
ସୂଚନାଯୋଗ୍ୟ, ବେଙ୍ଗଲର ବୀରଭୂମି ଜିଲ୍ଲାରେ କିଛି ଲୋକଙ୍କୁ ଜୀବନ୍ତ ଜାଳି ହତ୍ୟା କରିବାକୁ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ମଙ୍ଗଳବାର ଏହି ଘଟଣା ଘଟିଥିଲା। ଏହାର ଦିନକ ପୂର୍ବରୁ ଜଣେ ଟିଏମସି ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।
ସାଂସଦ ଅଧୀନ ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠିରେ ଲେଖିଛନ୍ତି ଯେ “ସୋମବାର ଶାସକ ଟିଏମସିର ଦୁଇଟି ଗ୍ରୁପ ମଧ୍ୟରେ ବୀରଭୂମିର ବୋଗଟୁଇ ଗାଁରେ ସଂଘର୍ଷ ଘଟିଥିଲା। ଡେପୁଟି ପ୍ରଧାନ ବାହାଦୁ ଶେଖ ଘଟଣାରେ ପ୍ରାଣ ହରାଇଥିଲେ ଓ ଏହାର ପ୍ରତିଶୋଧ ସ୍ୱରୂପ ସ୍ଥାନୀୟ ଅଞ୍ଚଳରେ ଥିବା ଘରଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା।
ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ସମସ୍ତ ମୃତକ ସଂଖ୍ୟାଲଘୁ ସଂପ୍ରଦାୟର। ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ଯାଇଛି। ମାସକ ମଧ୍ୟରେ ରାଜ୍ୟରେ ୨୬ଟି ରାଜନୀତିକ ହତ୍ୟାକାଣ୍ଡ ଘଟିବା ଅତ୍ୟନ୍ତ ଦୁଃଖଦ ଖବର।
ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ଘଟିଥିବା ହିଂସା ଅନେକ ଜୀବନ ନେଉଛି। ପୂରା ରାଜ୍ୟ ହିଂସା ଓ ସଂଘର୍ଷର ଭୟ ଭିତରେ ବୁଡ଼ି ରହିଛି।