
ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରିସାପ୍ତାହିକ ଏକ୍ସପ୍ରେସ୍କୁ ‘ମହିମା ଗୋସାଇଁ ଏକ୍ସପ୍ରେସ୍’ ନାମରେ ନାମକରଣ କରାଯାଇଛି। କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁମୋଦନ କ୍ରମେ ଟ୍ରେନ୍ ନମ୍ବର ୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରିସାପ୍ତାହିକ ଏକ୍ସପ୍ରେସ୍ (ଭାୟା-ଅନୁଗୁଳ, ତାଳଚେର)କୁ ମହିମା ଧର୍ମ ପ୍ରାଣ ପ୍ରତିଷ୍ଠାତା ‘ମହିମା ଗୋସାଇଁ ଏକ୍ସପ୍ରେସ୍’ ନାମରେ ନାମିତ କରାଯାଇଛି। ଏନେଇ ଟ୍ୱିଟ କରି ନିଜେ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୦୨୨ ଡିସେମ୍ବର ୨୯ରେ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀଙ୍କୁ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରିସାପ୍ତାହିକ ଟ୍ରେନର ନାମକୁ ପରିବର୍ତ୍ତନ କରି ମହିମା ଗୋସାଇଁ ଏକ୍ସପ୍ରେସ୍ ଭାବରେ ନାମିତ କରିବାକୁ ଅନୁରୋଧ କରିଥିଲେ।