(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକରେ ‘ଓଡ଼ିଶା ବାଲି ନୀତି-୨୦୨୧’ ପ୍ରସ୍ତାବକୁ ମଞ୍ଜୁରୀ। ଫଳରେ ବାଲି ଚୋରା ଚାଲାଣ ଏବଂ ବେଆଇନ୍ ଖନନ ରୋକାଯାଇ ପାରିବ। ଏହା ଦ୍ବାରା ରାଜ୍ୟର ସବୁ ଅଞ୍ଚଳରେ ଯେପରି ବାଲିର ଅଭାବ ହେବନି, କେଉଁ ବାଲିଘାଟରୁ କେତେବେଳେ କେତେ ବାଲି ଉଠିଲା, କେଉଁ ଗାଡ଼ିରେ ଉଠିଲା, କେଉଁ ଅଞ୍ଚଳକୁ ଗଲା, କେଉଁଠି ବାଲି ବ୍ୟବହାର ହେଲା ଏହାର ଟିକିନିଖି ତଥ୍ୟ ଏଣିକି ରାଜସ୍ବ ବିଭାଗ ପାଖରେ ରହିବ।
ବାଲି ଉଠାଣଠାରୁ ଆରମ୍ଭ କରି ବ୍ୟବହାର ପର୍ଯ୍ୟନ୍ତ ସବୁର ତଥ୍ୟ ରଖାଯିବ। ଏହାଦ୍ବାରା ଘାଟରୁ ଅଧିକ ବାଲି ଉଠିବନି କି ଚୋରା ଚାଲାଣ ହେବନି ବୋଲି କୁହାଯାଉଛି । ବାଲି ଚାଲାଣ କରି କୋଟିକୋଟି ଟଙ୍କାର ରାଜସ୍ବ ଫାଙ୍କୁଥିବା ବାଲି ମାଫିଆମାନେ ମଧ୍ୟ ସାବାଡ୍ ହେବେ ବୋଲି କୁହାଯାଉଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ବୈଠକରେ ମୋଟ୍ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ସୂଚନା ଥାଉକି ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ଏବଂ ବେଆଇନ ବାଲି ଖନନକୁ ନେଇ ଗତ ଫେବ୍ରୁଆରି ମାସରେ ବିଧାନସଭାରେ ବିରୋଧୀ ଦଳ ଗୁଡ଼ିକ ସରକାରଙ୍କୁ ଘେରିଥିଲେ। ରାଜସ୍ବ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ, ଆମେ ବାଲି ଚୋରା ଚାଲାଣ ରୋକିବାକୁ ‘ଓଡ଼ିଶା ବାଲି ନୀତି’ ଆଣୁଛୁ। ବର୍ତ୍ତମାନ ଏହି ବାଲି ନୀତିକୁ କ୍ୟାବିନେଟ୍ ଅନୁମୋଦନ କରିଥିବାରୁ ଆସନ୍ତା ବିଧାନସଭା ଅଧିବେଶନରେ ଏହି ନୀତି ଉପରେ ଚୂଡ଼ାନ୍ତ ମୋହର ବାଜିବାର ସମ୍ଭାବନା ଅଛି।
ଅନ୍ୟ ପକ୍ଷରେ ‘ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କ ଅବସରକାଳୀନ ହିତ ନିୟମାବଳି, ୧୯୮୧’ର ସଂଶୋଧନ କରାଯାଇଛି।ଏହାଦ୍ବାରା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ (ଯିଏକି ସ୍ବତନ୍ତ୍ର ଭାବେ ‘ଉଠାଣ ଓ ବିତରଣ ଅଧିକାରୀ’ େଘାଷିତ ହୋଇଥିବେ) ସେମାନେ ସମସ୍ତ କର୍ମଚାରୀଙ୍କ ‘ଅସ୍ଥାୟୀ ନିବୃତ୍ତ-ବେତନ’(ପ୍ରୋଭିଜିନାଲ୍ ପେନସନ୍)ର ମଞ୍ଜୁରି, ଉଠାଣ ଓ ବିତରଣ ପ୍ରାଧିକାରୀ ଭାବେ ଦାୟିତ୍ବ ବହନ କରିବେ। ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ‘ଅସ୍ଥାୟୀ ନିବୃତ୍ତ-ବେତନ’ର ମଞ୍ଜୁରି, ଉଠାଣ ଓ ବିତରଣ ପ୍ରାଧିକାରୀ ଭାବେ ସଂପୃକ୍ତ ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟ କରିବେ। ଏହାଦ୍ବାରା ପ୍ରୋଭିଜିନାଲ ପେନସନ୍ ପାଇଁ ଅଧ୍ୟାପକ ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟକୁ ଆସିବାକୁ ପଡ଼ିବନି।