ୟୁକ୍ରେନରେ ଫସିଥିବା ୨୫୦ ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଁଚିଲା ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ

ସ୍ୱଦେଶ ଫେରିଲେ ଆଉ ୨୫୦ ଭାରତୀୟ ନାଗରିକ | ଯୁଦ୍ଧଗ୍ରସ୍ତ ୟୁକ୍ରେନ ଭିତରେ ଫସିଥିବା ୨୫୦ ଭାରତୀୟଂକୁ ନେଇ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ଆସି ଦିଲ୍ଲୀରେ ପହଞ୍ଚିଛି। ମିଶନ ଗଙ୍ଗା ଜରିଆରେ ଏହି ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍‌ରୁ ଭାରତକୁ ଅଣାଯାଇଛି। କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବିଦେଶ ରାଜ୍ୟ ମନ୍ତ୍ରୀ ବି.ମୁରଲିଧରନ୍‌ ବୁଖାରେଷ୍ଟ ଦେଇ ୟୁକ୍ରେନ୍‌ରୁ ସୁରକ୍ଷିତ ଫରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି। ସେପଟେ ବୁଡାଫେଷ୍ଟ (ହଙ୍ଗେରୀ)ରୁ ଆଉ ୨୪୦ ଭାରତୀୟ ନାଗରିକଙ୍କୁ ନେଇ ଅପରେସନ୍ ଗଙ୍ଗା ଅଧୀନରେ ତୃତୀୟ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି।

ରୁଷର ସାମରିକ ଆକ୍ରମଣ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ଭାରତ ପାଇଁ ଏକ ବଡ ଚ୍ୟାଲେଜ ଥିବା ବେଳେ, ଭାରତ ନିଜ ଦେଶବାସୀଙ୍କ ଆଣିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି | ପ୍ରଥମ ବିମାନ, AI 1944 ସନ୍ଧ୍ୟାରେ ବୁଖାରେଷ୍ଟରୁ ୨୧୯ ଜଣଙ୍କୁ ନେଇ ମୁମ୍ବାଇ ଆସିଥିଲା। ଆଜି ଭୋରୁ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଛି।

ଅନ୍ୟ ଲୋକଙ୍କୁ ମଧ୍ୟ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନେଇ ପ୍ରସଙ୍ଗ ଉଠାଇଥିଲେ। ପ୍ରାୟ ୧୬,୦୦୦ ଭାରତୀୟ ବର୍ତ୍ତମାନ ୟୁକ୍ରେନରେ ଫସି ରହିଛନ୍ତି |

Related Posts