କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସର୍ବାଧିକ ମୃତ୍ୟୁ: ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁସଂଖ୍ୟା ଅଧିକ , ଯୁବବର୍ଗ ଅଧିକ ସଂକ୍ରମିତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ତରଙ୍ଗର ପ୍ରଭାବ ଆଜି ସୁଦ୍ଧା ଶେଷ ହୋଇ ନାହିଁ। ଏବେ ବି ଦୈନିକ ସଂକ୍ରମଣ ହଜାରେ ପାଖାପାଖି ରହୁଛି। କିନ୍ତୁ ଦ୍ବିତୀୟ ଲହରରେ ସଂକ୍ରମଣର ଭୟାବହତା ଓ ମୃତ୍ୟୁ ପ୍ରଥମ ଲହର ତୁଳନାରେ ଯଥେଷ୍ଟ ପରିମାଣରେ ଅଧିକ ବୋଲି ଦେଖିବାକୁ ମିଳିଛି। ସଂକ୍ରମଣ ମାମଲାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସ୍ଥିତି ଆହୁରି ଉଦ୍‌ବେଗଜନକ ବୋଲି ଜଣାପଡିଛି। ଦ୍ବିତୀୟ ତରଙ୍ଗରେ ଯୁବବର୍ଗ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଥିଲେ ମଧ୍ୟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକ ସର୍ବାଧିକ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ରାଜ୍ୟରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସଂକ୍ରମଣ ପିକ୍ ରେ ପହଞ୍ଚିଥିବା ବେଳେ ଦୈନିକ ସଂକ୍ରମଣ ୧୨ ହଜାର ଅତିକ୍ରମ କରିଥିଲା। ବିଶେଷଜ୍ଞମାନଙ୍କ ଆକଳନ ମଧ୍ୟ ଫେଲ୍ ମାରିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଲହରରେ ୩ଲକ୍ଷ ୨୯ହଜାର ୮୬୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮୭୬ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଦ୍ବିତୀୟ ଲହରରେ ପ୍ରଥମ ତୁଳନାରେ ଦୁଇଗୁଣା ସଂକ୍ରମଣ ଓ ପ୍ରାୟ ୩ଗୁଣା ମୃତ୍ୟୁ ହୋଇଥିବା ଜଣାପଡିଛି। ଅଗଷ୍ଟ ୧୬ ସୁଦ୍ଧା ରାଜ୍ୟରେ ୬ଲକ୍ଷ ୬୬ହଜାର ୨୮୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୧୪୫ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ଜାରି ରହିଛି, ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଦ୍ବିତୀୟ ଲହରରେ ୦-୫ବର୍ଷର ୪୬୯୭ଜଣ ଶିଶୁ କୋଭିଡ୍ ଆକ୍ରାନ୍ତ ହୋଇଥିବା ବେଳେ ୨ ମୃତ୍ୟୁ, ୩୮୧୨ ଶିଶୁକନ୍ୟା ଓ ଜଣେ ପ୍ରାଣ ହରାଇଛନ୍ତି। ତେବେ ଏହି ଦ୍ବିତୀୟ ତରଙ୍ଗରେ ୧୫-୪୪ବର୍ଗର ଲୋକ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ଏଥିରେ ୨ଲକ୍ଷ ୪୭ହଜାର ୬୦୬ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ୧୦୫୯ ମୃତ୍ୟୁ, ୧ଲକ୍ଷ ୪୭ହଜାର ୫୯୮ ମହିଳା ଓ ୪୧୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସେହିପରି ୪୫-୬୦ ବର୍ଗର ୧ଲକ୍ଷ ୮୨୦ ପୁରୁଷ ଓ ୧୩୦୭ ମୃତ୍ୟୁ, ୬୨,୫୬୯ ମହିଳା ଓ ୬୬୯ ମୃତ୍ୟୁ, ୬୦ବର୍ଷରୁ ଅଧିକ ୪୨,୧୪୪ ପୁରୁଷ ଓ ୧୧୮୪ ମୃତ୍ୟୁ, ୨୩,୫୩୮ ମହିଳା ଓ ୪୯୮ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏହି କରୋନା ମହାମାରୀର ଦ୍ବିତୀୟ ଲହରରେ ୬୮ଜଣ କିନ୍ନର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦ବର୍ଷରୁ ଅଧିକ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି। ଚଳିତବର୍ଷ ଜାନୁଆରି ମାସରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ପରେ ୬୦ବର୍ଷରୁ ଅଧିକ ଓ ଜଟିଳ ରୋଗ ଥିବା ୪୫ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ଟିକାକରଣ କରାଯାଇଥିଲା। ଟିକାକରଣ ସତ୍ତ୍ବେ ୪୫ବର୍ଷରୁ ଊର୍ଧ୍ବ ବର୍ଗରେ ରାଜ୍ୟରେ ଅଧିକ ମୃତ୍ୟୁ ଘଟିଛି। ରାଜ୍ୟରେ ୪୫ବର୍ଷରୁ ଊର୍ଧ୍ବ ବର୍ଗରେ ୩୬୫୯ଜଣଙ୍କ ମୃତ୍ୟୁ ହୋଇଛି। ଏହା ୧୫-୪୪ ବର୍ଗ ତୁଳନାରେ ଯଥେଷ୍ଟ ଅଧିକ।

Related Posts