ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀ ଦଳମାନେ ଆଗତ କରିଛନ୍ତି ଅନାସ୍ଥା ପ୍ରସ୍ତାବ | ଆଉ ଏହି ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇଥିବା କଥା ଆଜି ଲୋକସଭାର ବାଚସ୍ପତି କହିଛନ୍ତି। ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ସବୁ ରାଜନୈତିକ ଦଳ ସହିତ କଥାବାର୍ତ୍ତା କରିବି ଓ ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି।

ଆଜି କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏହି ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ୍‌ ଦାଖଲ କରିଥିଲେ। ଏହି ନୋଟିସ୍‌କୁ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସେକ୍ରେଟେରି ଜେନେରାଲ୍‌ଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ସେହିପରି, ‘ଭାରତ ରାଷ୍ଟ୍ର ସମିତି’ (ବିଆର୍‌ଏସ୍‌) ଫ୍ଲୋର୍‌ ଲିଡର୍‌ ନାଗେଶ୍ବର ରାଓ ଅନାସ୍ଥା ପ୍ରସ୍ତାବ ପାଇଁ ବାଚସ୍ପତିଙ୍କ ନିକଟରେ ପୃଥକ୍‌ ନୋଟିସ୍‌ ଦାଖଲ କରିଥିଲେ।

ଆଜି ଲୋକସଭାରେ ଗ୍ରହଣ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍‌କୁ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ବିରୋଧୀ ଦଳ ସମର୍ଥନ କରିଛନ୍ତି। ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ହାଜର ହୁଅନ୍ତୁ ବୋଲି ଦାବି କରି ବିରୋଧୀ ସାଂସଦମାନେ ସ୍ଲୋଗାନ୍‌ ଦେଇ ବିଶୃଙ୍ଖଳା କରିବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି।