ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶାକୁ ବିଶ୍ୱ ସ୍ତରରେ ସ୍ଥାନୀତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଘୋଷଣା କଲେ IT ପଲିସି । ସେପଟେ ସ୍ୱଚ୍ଛ ଶାସନ ସହ ରାଜ୍ୟକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆହୁରି ଆଗେଇ ନେବାକୁ ଆରମ୍ଭ ହୋଇଛି ପ୍ରୟାସ । ଆଇଟି ସେକ୍ଟରରେ ରାଜ୍ୟରେ ପୁଞ୍ଚିନିବେଶକୁ ପ୍ରେତ୍ସାହନ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ୱତନ୍ତ୍ର ଆଇଟି ପଲିସି, ଯାହା ଅଧିନରେ ଓଡିଶାରେ ପୁଞ୍ଚିନିବେଶ କରିବା ସହ ଭିତ୍ତିଭୂମି ପ୍ରତିଷ୍ଠା ଦିଗରେ ମିଳିବ ସ୍ୱତନ୍ତ୍ର ସୁବିଧା ସୁଯୋଗ ।
ଆସନ୍ତୁ ଜାଣିବା ଏ ନେଇ କ’ଣ ରହିଛି ସରକାରଙ୍କ ଯୋଜନା
* IT ପାର୍କ ପାଇଁ ପ୍ରୋତ୍ସାହନ: ସ୍ଥାୟୀ ପୁଞ୍ଜିନିବେଶ କରିବାକୁ କମ୍ପାନୀଗୁଡିକୁ ପୁଞ୍ଜିନିବେଶର ୨୫% (ସର୍ବାଧିକ ୨୦ କୋଟି ଯାଏଁ) ଯୋଗାଇଦିଆଯିବ । ଗ୍ରୀନ୍ ଫିଲ୍ଡ ଆଇଟି ପାର୍କ ପାଇଁ ଜମି କିଣିବା ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ପାଇଁ ପଡୁଥିବା ଦେୟକୁ କାଟ୍ କରାଯିବ ।
* ସ୍ଥାୟୀ ପୁଞ୍ଜିନିବେଶ କରିବାକୁ ଥିବା ଯୋଗ୍ୟ ଆଇଟି ସଂସ୍ଥା ଗୁଡିକୁ ରିହାତି ମିଳିବ ।
* ଯେଉଁ ଆଇଟି ଉଦ୍ୟୋଗୀମାନେ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାରୁ ଋଣ କରି ଠିକ ସମୟରେ ପରିଶୋଧ କରୁଥିବେ ସେମାନଙ୍କ ଋଣ ଉପରେ ବାର୍ଷିକ ସୁଧରେ ୫% ରିହାତି ମିଳିବ ।
* ଆଇଟି ଶିଳ୍ପୋଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ ଉପରେ ମଧ୍ୟ ୩୦% ଯାଏଁ ରିହାତି ମିଳିବ । ଏହାସହ ଇନସ୍ପେକସନ୍ ଫି ଉପରେ ୫ ବର୍ଷ ଯାଏଁ ଛାଡ ମିଳିବ ।
* ଯଦି କୌଣସି ଆଇଟି ସଂସ୍ଥାରେ ୪୦ରୁ ଅଧିକ କର୍ମଚାରୀ କାମ କରୁଥିବେ ତେବେ ଭଡାରେ ଚାଲିଥିବା କାର୍ଯ୍ୟାଳୟର ଭଡାରେ ମଧ୍ୟ ରିହାତି ମିଳିବ ।
* ଯେଉଁ ଆଇଟି ସଂସ୍ଥାମାନେ ଭଡାଘରେ ନୂଆକରି କାର୍ଯ୍ୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ସ୍କୋୟାର ଫୁଟ ପ୍ରତି ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ ।
