ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି। ଏପରି ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ଜୟନାରାୟଣ କହିଛନ୍ତି ଯେ, ମୋ ଗୋଡ଼ ଭାଙ୍ଗି ଯାଇଥିବାରୁ ମୁଁ ଗତ କିଛି ଦିନ ହେବ ସମ୍ବଲପୁର ସର୍କିଟ ହାଉସରେ ରହୁଥିଲି। ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡିର କିଛି ଅସାମାଜିକ ବ୍ୟକ୍ତିମାନେ ସେଠାକୁ ଯାଇ ଭଙ୍ଗାରୁଜା କରିଥିଲେ। ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା। ମୋତେ ସେମାନେ ହତ୍ୟା କରିବାକୁ ଆସିଥିଲେ।

ଜୟ ନାରାୟଣ ଆହୁରି କହିଛନ୍ତି, ଅନେକ ଦିନ ହେବ ସରକାରଙ୍କ ଅପକର୍ମଙ୍କୁ ମୁଁ ପଦାରେ ପକାଉଛି। ବିଶେଷ କରି ନବ ଦାସ ହତ୍ୟାକାଣ୍ଡର ଷଡଯନ୍ତ୍ରକୁ ମୁଁ ଲଗାତାର ଉନ୍ମୋଚିତ କରୁଥିବାରୁ ସରକାର ଉତକ୍ଷିପ୍ତ ହୋଇପଡ଼ିଛନ୍ତି। ଏଥିପାଇଁ ମୋତେ ରାସ୍ତାରୁ ହଟାଇବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ଧନୁପାଲ୍ଲୀ ଥାନା ଆଇଆଇସି ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଘଟଣାର ପ୍ରତିବାଦ କରିବାକୁ ଯାଇ ଆଜି କିଛି ବିଜେଡି କର୍ମୀ ସମ୍ବଲପୁର ସର୍କିଟ ହାଉସରେ ପହଞ୍ଚି ନାରାବାଜି କରିବା ସହିତ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସର୍କିଟ ହାଉସରେ ଉପସ୍ଥିତ ନଥିଲେ।