ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଗଲାଣି, ସେ ଗାଦି ଛାଡ଼ି ଦିଅନ୍ତୁ: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୋଲିସ ଦିନ ଦ୍ବିପହରରେ ଗୁଳିକରି ହତ୍ୟା କରୁଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଆଜି ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ଧାରଣାରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନେକ ପ୍ରମୁଖ ନେତା ସାମିଲ ହୋଇଛନ୍ତି।

ରାଜଭବନ ସାମ୍ନାରେ ଧାରଣା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିଜ ଅଭିଭାଷଣରେ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯଦି ଶାସନ କରୁ ନାହାନ୍ତି, ତାହେଲେ ଗାଦି ଛାଡ଼ନ୍ତୁ। ଓଡ଼ିଶାର ମା, ଭଉଣୀମାନେ ନିର୍ଯାତନା, ହତ୍ୟାର ଶିକାର ହେଉଛନ୍ତି। ଓଡ଼ିଶାରେ କିଏ ଶାସନ ଚଳଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବୈଜୟନ୍ତ ଆହୁରି କହିଛନ୍ତି ଯେ, ଏବେ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିଦିଆଗଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଚପେଇ ଦେବାକୁ ଉଦ୍ୟମ ହେଉଛି। ହତ୍ୟା ପାଇଁ ଆଦେଶ କିଏ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି ସାମ୍ନାକୁ ଆସୁନି। ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ନେଇ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି। ସତ ସାମ୍ନାକୁ ଆଣିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡିତ କରାଯିବା ଦରକାର। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି ବୋଲି ତ ସ୍ପଷ୍ଟ ହୋଇଗଲାଣି। ଯଦି ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି, ତେବେ ଗାଦି ଛାଡ଼ି ଦିଅନ୍ତୁ ବୋଲି ସେ କହିଛନ୍ତି।

Related Posts