କୋଭିଡ୍ ର ତୃତୀୟ ଲହର ମୁକାବିଲା ପାଇଁ ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଏନେଇ ଆଜି ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି ଉପଦେଷ୍ଟା କମିଟିରେ ଦେଶର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ରହିଛନ୍ତି । ଏହି କମିଟିରେ ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ବିଶେଷଜ୍ଞ ଡାକ୍ତର ରହିଛନ୍ତି । ସେହିପରି ଡିଏମଇଟି ଏହାର ଆବାହକ ରହିଛନ୍ତି । କୋଭିଡ୍ ପରିଚାଳନା ନେଇ ଏହି କମିଟି ସରକାରଙ୍କୁ ପରାମର୍ଶ ଦେବେ । ତୃତୀୟ ଲହରରେ ଶିଶୁ ମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ କମିଟି ସରକାରଙ୍କୁ ପରାମର୍ଶ ଦେବ । ରାଜ୍ୟରେ ସମସ୍ତଙ୍କ ପାଇଁ ଟିକା ନିଶ୍ଚିତ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଟିକା କିଣାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ଯଦି ସଫଳ ବିଡିଂ ହୁଏ ତେବେ ମେ ୨୮ ତାରିଖ ପରେ ରାଜ୍ୟ ସରକାର ଭ୍ୟାକ୍ସିନ କିଣିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଅପରପକ୍ଷରେ ଆସନ୍ତା ୪ ମାସ ଭିତରେ ନିର୍ଦ୍ଧିଷ୍ଟ କମ୍ପାନୀ ଓଡିଶାକୁ ଏହି ଟିକା ଯୋଗାଇବ ।

Related Posts