କେନ୍ଦ୍ର ସରକାରଙ୍କ କଥା ଶୁଣୁନାହାନ୍ତି ରାଜ୍ଯ ସରକାର !

ନୂଆଦିଲ୍ଲୀ : ବେଶବସୀଙ୍କ ଉପରେ ଚାଲିଛି ଏବେ ମହଙ୍ଗା ମାଡ଼ । ଅହେତୁକ ଭାବେ ଅନେକ ସାମଗ୍ରୀର ଦର ଆକାଶଛୁଆଁ ହେଉଛି । ଯାହା ଜଣେ ସଧାରଣ ଖାଉଟିଙ୍କ ପକେଟ ଉପରେ ସିଧା ପ୍ରଭାଵ ପକାଇଛି । ବଢୁଥିବା ଦର ବୃଦ୍ଧିକୁ ନେଇ ସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଦରଦାମ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିଥିଲେ। ଏହାସହିତ ଭାଟ୍ କମାଇବା ଲାଗି ରାଜ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ।

ଇତିମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଘୋଷଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ରାଜ୍ୟ ଏପର୍ଯ୍ୟନ୍ତ ଭାଟ୍ କମାଇବାକୁ ଘୋଷଣା କରି ନାହାନ୍ତି। ଏପରିକି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କରି ନାହାନ୍ତି। କେନ୍ଦ୍ରର ଘୋଷଣାକୁ ବିଜେପି ସମର୍ଥନ କରିଥିଲେ ମଧ୍ୟ ଏହାଦ୍ବାରା ଶାସିତ ରାଜ୍ୟମାନଙ୍କ ମଧ୍ୟରେ ଗତଥର ଭଳି ଏଥର ଉତ୍ସାହ ଦେଖିବ‌ାକୁ ମିଳୁନାହିଁ। ଅନ୍ୟପକ୍ଷରେ କିଛି ଅଣବିଜେପି ଶାସିତ ରାଜ୍ୟ ସରକାରଙ୍କ ଭାଟ୍ ହ୍ରାସ ଘୋଷଣା ଦ୍ବନ୍ଦ୍ବ ବଢ଼ାଇ ଦେଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିଥିଲେ। କେନ୍ଦ୍ରୀୟ ଟିକସ ହ୍ରାସ ପାଇବା ପରେ ବିକ୍ରି ମୂଲ୍ୟ କମିଲେ ସବୁରାଜ୍ୟରେ ଭାଟ୍ ମଧ୍ୟ ଆପେ ଆପେ ହ୍ରାସ ପାଏ। ସେହିଦୃଷ୍ଟିରୁ ସୀତାରମଣ କହିଥିଲେ ଯେ ପେଟ୍ରୋଲ ଦାମ ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ଦାମ ୭ ଟଙ୍କା କମିଯିବ। ଏହାବାଦ୍ ‌ଭାଟ୍ ଶୁଳ୍କ କମାଇବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରମାନେ ଭାଟ୍ ହ୍ରାସ କରିଲେ ପେଟ୍ରୋଲ ଓ ଡିଜେଲ ଦର ଆହୁରି କମ୍‌ ମୂଲ୍ୟରେ ଗ୍ରାହକଙ୍କୁ ମିଳିପାରିବ‌। ମୁଦ୍ରାସ୍ଫୀତିକୁ ମଧ୍ୟ ନିୟନ୍ତ୍ରଣକୁ ଅଣାଯାଇପାରିବ ବୋଲି ସେ କହିଥିଲେ।

ତାଙ୍କ ଆହ୍ବାନର ୨୪ ଘଣ୍ଟା ପରେ ମଧ୍ୟ କୌଣସି ରାଜ୍ୟ ସେମାନଙ୍କ ଆଡ଼ୁ ଭାଟ୍ ହ୍ରାସ ଘୋଷଣା କରିନାହାନ୍ତି। ଅଣ ବିଜେପି ଶାସିତ ରାଜ୍ୟ ତ ଦୂରର କଥା, ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆଗ୍ରହ ପ୍ରକାଶ କରି ନାହାନ୍ତି। ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସରେ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ କରିବା ପରେ ଭାଟ୍ ହ୍ରାସ ଲାଗି ବିଜେପି ଶାସିତ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଏକ ରକମର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏଥର ସେମାନଙ୍କ ମଧ୍ୟରେ ଏହାକୁ ନେଇ ସେଭଳି ଉତ୍ସାହ ଦେଖାଯାଇ ନାହିଁ। ଏହାର କାରଣ ରାଜସ୍ବ ଚିନ୍ତା ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ ରାଜ୍ୟମାନଙ୍କ ସମ୍ବଳର ସୂତ୍ର ସୀମିତ ଥିବାରୁ ରାଜ୍ୟ ଆର୍ଥିକ ଅବସ୍ଥା ଉପରେ ଚାପ ରହିଛି। ତେଣୁ ‌ରାଜ୍ୟମାନେ ଏଦିଗରେ ରିସ୍କ ନେବାକୁ ଚାହୁ ନାହାନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମ କହିଛନ୍ତି ଯେ ରାଜ୍ୟମାନଙ୍କୁ ଭାଟ୍‌ରୁ ସୀମିତ ସମ୍ବଳ ମିଳୁଛି। ତେଣୁ କେନ୍ଦ୍ର ସରକାର ଏଭଳି ପରାମର୍ଶ ଦେବା ପୂର୍ବରୁ ରାଜ୍ୟମାନଙ୍କୁ ଅଧିକ ପରିମାଣରେ ଅନୁଦାନ ଦିଅନ୍ତୁ।

Related Posts