ବିବାହ ଭୋଜିରେ ଯୋଗ ଦେଇ ଫେରିବା ବେଳେ ମୟୂରଭଞ୍ଜରେ ଅଘଟଣ: କଲଭର୍ଟରେ ପିଟି ହେଲା ବରଯାତ୍ରୀ ଗାଡ଼ି, ୨ ମୃତ

କରଞ୍ଜିଆ: ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏକ ଭୟାନଙ୍କର ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ କ୍ଷେତ୍ରବାର୍ଷି ମହାରଣା ଓ କୁଳମଣି ଦାସ। ୨ ଜଣ ଆହତଙ୍କୁ ଠାକୁମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଶୁକୃଲି ଗାଁରେ ବିବାହ ଉତ୍ସବ ଥିଲା। ବରଯାତ୍ରୀମାନେ ବିବାହ ଭୋଜିରେ ଯୋଗ ଦେଇ ଗତକାଲି ରାତି ପ୍ରାୟ ୩ଟା ସମୟରେ ବୋଲେରୋରେ ଗୁଡ଼ଭଙ୍ଗାରୁ ଶୁକୃଲି ଫେରୁଥିଲେ। ଏହି ସମୟରେ ତରାମରା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯାଇଥିଲା।

ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଗାଡ଼ିରେ ଡ୍ରାଇଭର ସମେତ ୮ ଜଣ ଥିଲେ ।

Related Posts