ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଗତ ୧୦ ବର୍ଷ ମଧ୍ୟରେ ୨୦ ହଜାର କୋଟିରୁ ଅଧିକ ଖର୍ଚ୍ଚ କଲେଣି ରାଜ୍ୟ ସରକାର; ତଥାପି ଏହାର ପ୍ରଭାବ ଗ୍ରାହକ ଅନୁଭବ କରିପାରୁ ନାହାନ୍ତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଗତ ୧୦ ବର୍ଷ ମଧ୍ୟରେ ୨୦ ହଜାର କୋଟିରୁ ଅଧିକ ଖର୍ଚ୍ଚ କଲେଣି ରାଜ୍ୟ ସରକାର । ସେପଟେ ସରକାରଙ୍କ ରେକର୍ଡ କହୁଛି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଅର୍ଥରେ ଏହି ଭିତ୍ତିଭୂମି ସୃଷ୍ଟି କରାଯାଇଛି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଯେ ଅର୍ଥ ବିନିଯୋଗ ପରେ ମଧ୍ୟ ଏହାର ପ୍ରଭାବ ଗ୍ରାହକ ଅନୁଭବ କରିପାରୁନାହାନ୍ତି କାହିଁକି ? ନା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିଲା ନା ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ ପାଇଲା ? ଏପରିକି ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ ମଧ୍ୟ ହୋଇ ପାରିଲା ନାହିଁ । ଅର୍ଥାତ ସରକାରଙ୍କ ସବୁ ଖର୍ଚ୍ଚ ପାଣିରେ ମିଶିଗଲା । ଆଉ ଏସବୁ ମଧ୍ୟରେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ଓଲଟା ଟାଟା ପାୱାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଦରଖାସ୍ତ କରି ସିଧା ସିଧା ଭିତ୍ତିଭୂମିର ମାନ ଉପରେ ପ୍ରଶ୍ନ ଉଙ୍ଖାଇବା ସହିତ ଏସବୁ ଖରାପ ସ୍ଥିତିରେ ଥିବା ଜଣାଇଛନ୍ତି । ଏପରିକି ସଂପୃକ୍ତ ଘରୋଇ କମ୍ପାନୀ ସରକାରଙ୍କ କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ପ୍ରତି ସିଧାସଳଖ ଆଙ୍ଗୁଠି ଉଠାଇବାରେ ଲାଗିଛି । ଅନ୍ୟପଟେ ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟ ମୁଖ୍ୟତଃ ସରକାରୀ ସଂସ୍ଥା ଓଡ଼ିଶା ଶକ୍ତି ସରବରାହ ନିଗମ ଲିମିଟେଡ ବା ଓପିଟିସିଏଲ ଦ୍ୱାରା କରାଯାଇଛି । ତଥାପି ଟାଟା ପାୱାର ଆଣିଥିବା ଅଭିଯୋଗକୁ ସରକାର କିମ୍ବା ଓପିଟିସିଏଲ କେହି ବି ଖଣ୍ଡନ କରିନାହାନ୍ତି । ଏହାର ପ୍ରତିବାଦ ମଧ୍ୟ କରାଯାଇ ନାହିଁ । ସରକାର ନିଜ ଆଡ଼ୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ଲାଗି ମଧ୍ୟ ପଛଘୁଞ୍ଚା ଦେଇଛନ୍ତି । ସେହିପରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଟାଟା କମ୍ପାନୀ ଠାରୁ ଏଭଳି ନିର୍ଦ୍ଦିଷ୍ଟ ଅଭିଯୋଗ ପାଇବା ପରେ ସରକାର କିମ୍ବା କୌଣସି ନିରପେକ୍ଷ ସଂସ୍ଥାଙ୍କ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ କିମ୍ବା ପରାମର୍ଶ ନଦେଇ ଚୁପ ରହିବା ଅଧିକ ବିସ୍ମୟଜନକ ମନେହେଉଛି ।

ଯାହା ଫଳରେ ସରକାର ଓ ଆବଣ୍ଟନ କମ୍ପାନୀ ଏବଂ ଆୟୋଗଙ୍କ ଇନ୍ଦ୍ରଜାଲରେ ସାଧାରଣ ଉପଭୋକ୍ତା ପୂର୍ବରୁ ଯେମିତି ଶୋଷଣର ଶିକାର ହେଉଥିଲେ, ଏବେ ମଧ୍ୟ ଶୋଷିତ ହେଉଛନ୍ତି । ସେପଟେ ଗ୍ରାହକଙ୍କ ଉପରେ ଆବଣ୍ଟନ ଓ ବୈଷୟିକ କ୍ଷତି ବାବଦରେ ପ୍ରତିବର୍ଷ ପ୍ରାୟ ୩୧୨୪ କୋଟି ଟଙ୍କାର ଅତିରିକ୍ତ ତଥା ଅଯଥାର୍ଥ ବୋଝ ଲଦି ଦିଆଯାଉଛି । ଶକ୍ତି ସମୀକ୍ଷମକମାନେ ଏଟି ଆଣ୍ଡ ସି କ୍ଷତିର ଏକ ପ୍ରତିଶତକୁ ପ୍ରାୟ ୧୪୨ କୋଟି ଟଙ୍କା ହିସାବ କରୁଥିବା ପରିପ୍ରେକ୍ଷୀରେ ଆୟୋଗ ଅନୁମତି ଦେଇଥିବା ୨୨ ପ୍ରତିଶତ କ୍ଷତି ପାଇଁ ଏହି ଅତିରିକ୍ତ ତଥା ବିଶାଳ ବୋଝ ଗ୍ରାହକ ମୁଣ୍ଡାଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ୨୦ ହଜାର କୋଟି ଟଙ୍କାର ଅଧିକ ଅର୍ଥ ପୁଞ୍ଜିନିବେଶ ପ୍ରସଙ୍ଗଟି ଭିନ୍ନ କାରଣରୁ ବିତର୍କ ଭିତରକୁ ଆସିଲାଣି । ନିକଟରେ ଶେଷ ହୋଇଥିବା ବିଧାନସଭା ବଜେଟ ଅଧିବେଶନରେ ମଧ୍ୟ ଏ ସଂକ୍ରାନ୍ତରେ ପ୍ରଶ୍ନ ଉଠିଥିଲା । ସରକାରଙ୍କ ତଥ୍ୟକୁ ବିଶ୍ୱାସ କଲେ ପ୍ରାୟ ୨୦ ହଜାର କୋଟି ଟଙ୍କାର ଭିତ୍ତିଭୂମି ବାବଦ ବ୍ୟୟରୁ ମାତ୍ର ୯୨୨ କୋଟି ଟଙ୍କାର ସମ୍ପତ୍ତି ବଣ୍ଟନ କମ୍ପାନୀମାନେ ନିଜ ବାର୍ଷିକ ଆୟ ବ୍ୟୟ ବିବରଣୀରେ ଦର୍ଶାଉଛନ୍ତି । ଅର୍ଥାତ ବଳକା ସମ୍ପତ୍ତି ଏଯାଏ ଆବଣ୍ଟନ କମ୍ପାନୀକୁ ହସ୍ତାନ୍ତର କରାଯାଇ ନାହିଁ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟାଗ ତାଙ୍କ ଭେଷ୍ଟିଂ ଅର୍ଡରରେ ମଧ୍ୟ ଏଭଳି ଅଯୌକ୍ତିକ ଆଦେଶ କିଭଳି ପ୍ରଦାନ କଲେ ?

ଯଦି ସରକାରଙ୍କ ଟଙ୍କାରେ ସୃଷ୍ଟି ସମ୍ପତ୍ତିକୁ ବଣ୍ଟନ କମ୍ପାନୀମାନଙ୍କ ଖାତା କିମ୍ବା ବାଲାନ୍ସ ସିଟରେ ସ୍ଥାନୀତ କରାଯିବ ନାହିଁ । ତେବେ ଏହାକୁ କିଭଳି ଅଂଶଧନ ରୂପରେ ହସ୍ତାନ୍ତର କରାଯିବ ? ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନୀଙ୍କ ଅଂଶଧନରେ ପରିବର୍ତ୍ତନ ଓ ହସ୍ତାନ୍ତର କରିବାକୁ ହେଲେ ସେହି ସମ୍ପତ୍ତି ମୂଲ୍ୟକୁ ପ୍ରଥମେ ବାଲାନ୍ସ ସିଟରେ ସ୍ଥାନୀତ କରାଯିବାର ବିଧି ବ୍ୟବସ୍ଥା ରହିଛି । କିନ୍ତୁ ଏମିତି ନକରି ହସ୍ତାନ୍ତର ଆଦେଶ କିପରି ଜାରି କରାଗଲା ? ସାଧାରଣ ଉପଭୋକ୍ତା ମନରେ ସୃଷ୍ଟି ହେଉଥିବା ଏଭଳି ପ୍ରଶ୍ନର ଉତ୍ତର ନା ଆୟୋଗ ଦେଉଛନ୍ତି ନା ରାଜ୍ୟ ସରକାର । କେବଳ ଏତିକି ନୁହେଁ ବରଂ ଏଠାରେ ଆହୁରି ପ୍ରଶ୍ନ ଉଠୁଛି ଯେ ଭିତ୍ତିଭୂମି ବାବଦରେ ବ୍ୟୟ ୨୦ ହଜାର କୋଟି ଟଙ୍କାରୁ ଅବଶିଷ୍ଟ ୧୯ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଏବେ କେଉଁଠି ଏବଂ କିଭଳି ରହିଛି ? ଏପରିକି ସେ ତଥ୍ୟ ମଧ୍ୟ କେହି ଦେଉନାହାନ୍ତି ।

ଏହି ସମ୍ପତ୍ତି ଯଦି ଆବଣ୍ଟନ କମ୍ପାନୀଙ୍କ ବ୍ୟବହାରରେ ଲାଗୁଛି, ତେବେ ସରକାର ଜୋର ଦେଇ ଯୁକ୍ତି ଉପସ୍ଥାପନ କରିବାକୁ କିଏ ରୋକୁଛି ? ପୂରା ଭିତ୍ତିଭୂମି ବାବଦ ଖର୍ଚ୍ଚ ଆବଣ୍ଟନ କମ୍ପାନୀଙ୍କ ଖାତାକୁ ହସ୍ତାନ୍ତର ନହେବା ଦ୍ୱାରା ଘରୋଇ କମ୍ପାନୀ ଗ୍ରିଡକୋର ୫୧ ପ୍ରତିଶତ ଅଂଶଧନକୁ ମାତ୍ର ୭୫୨ କୋଟି ଟଙ୍କାରେ ନେତାକୁ ସଫଳ ହେଲା ବୋଲି କୁହାଯାଉଛି । ଏଥି ସହିତ ରାଜ୍ୟର ଏଭଳି ବିପୁଳ କ୍ଷତି ପଛରେ ଏକ ବଡ଼ ଧରଣର କେଳେଙ୍କାରୀ ଲୁଚି ରହିଛି ବୋଲି ଅଭିଯୋଗ କ୍ରମଶଃ ଘନୀଭୂତ ହେଲାଣି । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts