ସାପ ଧରିବା ପାଇଁ ସ୍ୱତନ୍ତ୍ର ଏସଓପି; ସାପ ଧରାଳିଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଗକୁ ଆସୁଛି ମୌସୁମୀ | ତେବେ ଏହି ସମୟରେ ସାପ କାମୁଡ଼ାରେ ଅନେକଙ୍କ ମୃତ୍ୟୁ ଘଟୁଥିବା ନେଇ ଖବର ଆସୁଥିବା ବେଳେ, ସରକାର ଏବେ ସାପ କାମୁଡିବା ରୋକିବା ନେଇ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି | ମୌସୁମୀ ପୂର୍ବରୁ ଗଠନ ହେବ ଟାସ୍କ ଫୋର୍ସ । ସାପ ଧରିବା ପାଇଁ ହେବ ସ୍ୱତନ୍ତ୍ର ଏସଓପି । ରାଜ୍ୟର ସାପ ଧରାଳିଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର । ସାପ ଧରିବା ପାଇଁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ରାଜ୍ୟ ସରକାର ମଧ୍ୟ ସାପ ଧରାଳିଙ୍କୁ ଯୋଗାଇ ଦେବେ ଲାଇସେନ୍ସ । ସାପ କାମୁଡ଼ାଙ୍କ ପ୍ରାଥମିକ ଚିକିତ୍ସା ପାଇଁ ପିଏଚସି ଓ ସିଏଚସିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଏହାସହ କେରଳ ସରକାରଙ୍କ ସର୍ପ ମଡେଲ୍ ଆପଣାଇବାକୁ ଯୋଜନା କରିଛି ଓଡ଼ିଶା । ସାପ କାମୁଡ଼ା ଚିନ୍ତାର ବିଷୟ ପାଲଟିଥିବା ବେଳେ ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏ ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ୍ କମିଶନର, ସ୍ୱାସ୍ଥ୍ୟ ସଚିବ, ଜଙ୍ଗଲ ବିଭାଗ ସଚିବ, ବନ ବିଭାଗ ଅଧିକାରୀ ଓ ସାପ ଉପରେ ଗବେଷଣା କରୁଥିବା ବିଶେଷଜ୍ଞ ଉପସ୍ଥିତ ଥିଲେ । ରାଜ୍ୟରେ ଉଦବେଗଜନକ ଭାବେ ସର୍ପଦଂଶନ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ବର୍ଷକୁ ସାପ କାମୁଡାରେ ହାରାହାରି ୮୦୦ ଜଣଙ୍କ ଜୀବନ ଯାଉଛି । ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଭୁଲ ଚିକିତ୍ସା । ସାପ କାମୁଡିଲେ ସାଙ୍ଗେ ସାଙ୍ଗେ ଡାକ୍ତର ପାଖକୁ ଯିବା ବଦଳରେ ଲୋକେ ଗୁଣି ଗାରେଡି କରିବା ସହ ମନ୍ଦିରକୁ ଧାଉଁଛନ୍ତି । ତେଣୁ ସାପକାମୁଡା ଜନିତ ଚିକିତ୍ସାକୁ ନେଇ ଜନସଚେତନତା କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଏଥିସହ ବିଷାକ୍ତ ସାପ ମାନଙ୍କୁ ଧରିବା ନେଇ ଟାସ୍କ ଫୋର୍ସ ଗଠନ କରିବା ନେଇ ଅଂଟା ଭିଡିଛନ୍ତି |

Related Posts