ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇଲା ଆମେରିକାର ଆକଳନ: ଚଳିତ ବର୍ଷ ଶେଷ ହେବ ନାହିଁ ଯୁଦ୍ଧ

ନୂଆଦିଲ୍ଲୀ : ରୁଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୫୦ ଦିନରୁ ଉର୍ଧ ଦିନ ବିତିବାକୁ ବସିଲାଣି | କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି | ଦିନକୁ ଦିନ ଯୁଦ୍ଧ ଆହୁରି ଉଗ୍ର ରୂପ ଧାରଣ କରୁଥିବା ବେଳେ, ଯୁଦ୍ଧ କେବେ ସରିବ ଓ କିପରି ଶାନ୍ତି ଫେରିବ, ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ଏହାରି ଭିତରେ ଆମେରିକାର ଏକ ଆକଳନ ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇ ଦେଇଛି ।

ଆମେରିକା ପକ୍ଷରୁ କୁହାଯାଇଛି, ଏହି ଯୁଦ୍ଧ ଚଳିତ ବର୍ଷ ଶେଷ ହେବ ନାହିଁ ବରଂ ଏହା ଦୀର୍ଘ ଦିନ ଧରି ଚାଲିବ । କୃଷ୍ଣ ସାଗରରେ ରୁଷର ଅତି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଜାହାଜ ମସ୍କୋଭା ବୁଡ଼ିଯିବା ପରେ ରୁଷ୍ ପ୍ରତିଶୋଧ ପରାୟଣ ହୋଇପଡ଼ିଛି । ଏହି ଜାହାଜକୁ ୟୁକ୍ରେନ୍ ଧ୍ୱଂସ କରିଦେବା ପରେ ରୁଷ୍ ପୁଣିଥରେ କିଭ୍ ଓ ପଶ୍ଚିମ ୟୁକ୍ରେନରେ ଘନଘନ ଆକ୍ରମଣ କରିଛି । ଶୁକ୍ରବାର ରାତିରେ ରୁଷର ଆକ୍ରମଣରେ ୟୁକ୍ରେନର ଦୁଇଟି ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି ।

ସେହିପରି ୟୁକ୍ରେନର ରାଜଧାନୀ କିଭ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ରୁଷ୍ ଏକ ପ୍ଲାଣ୍ଟକୁ ମିଜାଇଲ୍ ମାଡ଼ କରି ଛାରଖାର କରିଦେଇଛି । ଆଗାମୀ ଦିନରେ କିଭରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ରୁଷ୍ ଚେତାବନୀ ଦେଇସାରିଛି । ସେହିପରି ରୁଷର ଯୁଦ୍ଧ ଜାହାଜ ଶନିବାର ଲଭିଭରେ ଗୋଳାବର୍ଷା କରିଛି । ଏପରିକି ମାରିୟୁପୋଲ ରାସ୍ତାଘାଟରେ ମଧ୍ୟ ଲଢ଼େଇ ଜାରି ରହିଛି । ତେଣୁ ଏସବୁ ଯୁଦ୍ଧକୁ ଆହୁରି ଲମ୍ବା କରିବ ଏବଂ ଏହା ୨୦୨୨ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି କହିଛି ଆମେରିକା କହିଛି ।

ଅନ୍ୟପଟେଙ୍କ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ୫୩ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷ୍ ୟୁକ୍ରେନର ୮ଟି ସହର ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି । ଏଥିରେ କିଛି ନାଗରିକଙ୍କର ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିବା ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ ଯେଉଁ ୮ଟି ସହର ଉପରେ ଆକ୍ରମଣ କରିଛି, ସେଗୁଡ଼ିକ ହେଲେ ଡୋନେସ୍କ, ଲୁହାନସ୍କ, ପୂର୍ବରେ ଥିବା ଖାରକିଭ୍, ନିପ୍ରୋପେଟ୍ରୋଭସ୍କ, ପୋଲଟଭା, କିରୋଭୋରାଡ୍, ଦକ୍ଷିଣରେ ଥିବା ମାଇକୋଲେଭ୍ ଓ ଖେରସନ୍ ।

ଶୁକ୍ରବାର ଖାରକିଭରେ ୯ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଦକ୍ଷିଣ ମାଇକୋଲେଭରେ ଶୁକ୍ରବାର ଓ ଶନିବାର ପ୍ରବଳ ଗୋଳାବର୍ଷା ହୋଇଥିଲା । ଶୁକ୍ରବାର ହୋଇଥିବା ଏୟାରଷ୍ଟ୍ରାଇକରେ ୫ଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି ।

ସେପଟେ ୟୁକ୍ରେନର ଲିସିଚାନସ୍କ ସହରରେ ଥିବା ଏକ ତୈଳ ବିଶୋଧନାଗାର ଉପରେ ରୁଷୀୟ ସେନାର ଗୋଳାବର୍ଷା ଦ୍ୱାରା ସେଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।

Related Posts