ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବ ରାଜ୍ୟ, ସଂସଦର ଉଭୟ ସଦନରେ ପାରିତ ହେଲା ଓବିସି ଆରକ୍ଷଣ ବିଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଏଣିକି ରାଜ୍ୟ ସରକାରଙ୍କୁ ମିଳିବ ଓବିସି ତାଲିକା ପ୍ରସ୍ତୁତି କରିବାର କ୍ଷମତା । କେଉଁ ବର୍ଗର ଲୋକଙ୍କୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ତାହାର ନିଷ୍ପତି ରାଜ୍ୟ ସରକାର ମାନେ ନେଇପାରିବେ । ଏଥିପାଇଁ ସମ୍ବିଧାନର ୧୨୭ ତମ ସଂଶୋଧନ ବିଲ୍ ଲୋକସଭାରେ ଗୃହୀତ ହେବା ପରେ ଏବେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ବିଲ୍‌କୁ ଉଭୟ ଶାସକ ଓ ବିରୋଧୀ ଏକମତ ହୋଇ ପାରିତ କରିଛନ୍ତି । ଏବେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହି ବିଲ୍ ଆଇନରେ ପରିଣତ ହେବା । ଏହା ଦ୍ବାରା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ନିଜ ରାଜ୍ୟର ଓବିସି ବର୍ଗକୁ ଚିହ୍ନଟ କରିପାରିବେ । ଏହା ସାଙ୍ଗକୁ ରାଜ୍ୟ ସରକାରଙ୍କ ପାଖରେ ସଂରକ୍ଷଣ କ୍ଷମତା ମଧ୍ୟ ରହିବ ।

୨୦୧୮ର ୧୦୨ ତମ ସମ୍ବିଧାନ ସଂଶୋଧନ ଅନୁସାରେ କେବଳ କେନ୍ଦ୍ର ସରକାରଙ୍କ ପାଖରେ ଓବିସି ଚିହ୍ନଟ, ତାଲିକା ପ୍ରସ୍ତୁତ କରିବାର କ୍ଷମତା ଥିଲା । କିଛି ଦିନ ତଳେ ସୁପ୍ରିମକୋର୍ଟ କହିଥିଲେ, କେବଳ କେନ୍ଦ୍ର ସରକାର ହିଁ ଓବିସି ତାଲିକା ପ୍ରସ୍ତୁତ କରିପାରିବେ । ଏହାକୁ ନେଇ ରାଜ୍ୟଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିବା ପରେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନର କରି ରାଜ୍ୟକୁ ମଧ୍ୟ ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତା ପ୍ରଦାନ କରିଛନ୍ତି।

ବୁଧବାର ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜାରି ରହିଥିବା ବେଳେ ଜାତି-ଜନଗଣନା ଦାବି ଉପରେ କେନ୍ଦ୍ର ସାମାଜିକ କଲ୍ୟାଣ ମନ୍ତ୍ରୀ କହିଥିଲେ ଯେ ୨୦୧୧ ଜନଗଣନାରେ ସମ୍ପୃକ୍ତ ସର୍ଭେ କରାଯାଇଥିଲା, କିନ୍ତୁ ଏହା ଅନ୍ୟ ପଛୁଆ ବର୍ଗ (ଓବିସି) ଉପରେ ଧ୍ୟାନ ଦିଆଯାଇନଥିଲା । ସେ କହିଛନ୍ତି ଯେ ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ଓବିସି ସଂରକ୍ଷଣର ନିଷ୍ପତ୍ତି ଏହି ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହର ବାତାବରଣ ସୃଷ୍ଟି କରିଛି ।

ଏହି ବିଲ୍ ଉପରେ ଆଲୋଚନା ପୂର୍ବରୁ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ ବିଭିନ୍ନ ଦଳର ନେତାମାନେ ବର୍ତ୍ତମାନର ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବାକୁ, ଘରୋଇ କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବାକୁ ଏବଂ ଜାତି ଭିତ୍ତିକ ଜନଗଣନା ଦାବି କରିଥିଲେ। ଖଡଗେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ୫୦ ପ୍ରତିଶତ ସୀମା ରହିବ ସେ ପର୍ଯ୍ୟନ୍ତ ଓବିସି ସମ୍ପୂର୍ଣ୍ଣ ନ୍ୟାୟ ପାଇବ ନାହିଁ।

ଏହି ବଲ୍ ଆଇନ ହେବା ପରେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣର ରାସ୍ତାକୁ ସହଜ କରିବ। ଏହା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାଜ୍ୟ ସରକାର ଏପରି ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବାର ଅଧିକାର ପାଇବେ। ତେବେ ଏହି ବିଲ୍ ପାରିତ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଧିବେଶନକୁ ସ୍ଥଗିତ ରଖାଯାଇଛି। ଓବିସି ବିଲ୍ ଉଭୟ ଗୃହରେ ବାଚନିକ ଭୋଟ୍ ମାଧ୍ୟମରେ ପାରିତ ହୋଇଛି। ଉଭୟ ଗୃହର କୌଣସି ସଦସ୍ୟ ଏହି ବିଲକୁ ବିରୋଧ କରିନଥିଲେ।

Related Posts