ରାଜଧାନୀରେ ଆତ୍ମହତ୍ୟାକୁ ନେଇ ସ୍ଥିତି ଗମ୍ଭୀର: ଦୁଇ ବର୍ଷରେ ୫୭୦ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜଧାନୀରେ ଆତ୍ମହତ୍ୟାକୁ ନେଇ ସ୍ଥିତି ଗମ୍ଭୀର ରହିଛି । ଦିନକୁ ଦିନ ଯେପରି ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଗୋଟିଏ ଦିନରେ ରାଜଧାନୀରେ ୩ ଜଣ ଆତ୍ମହତ୍ୟା କରିଛନ୍ତି। କିଏ ପ୍ରେମ ପାଇଁ ଆତ୍ମହତ୍ୟା କଲାଣି ତ ଆଉ କିଏ ପରୀକ୍ଷାରେ ଅସଫଳ ହୋଇ, କିଏ ପାରିବାରିକ କଳହକୁ ନେଇ।

କୋଭିଡ଼୍ ପରେ ପରେ ଏହି ସମସ୍ୟା ଏବେ ଉଗ୍ର ରୂପ ଧାରଣ କରିଛି। ଯାହା ସୂଚନା ମିଳିଛି, ଦୁଇ ବର୍ଷରେ ପାଖାପାଖି ୫୭୦ ଜଣ ଆତ୍ମହତ୍ୟା କରିସାରିଲେଣି। ଗତବର୍ଷ ୨୭୭ ଜଣ ଆତ୍ମହତ୍ୟା କରିଥିବା ପୁଲିସ ରିପୋର୍ଟ କହୁଥିବାବେଳେ ଚଳିତ ବର୍ଷ ୧୦ ମାସରେ ୨୮୬ ଜଣ ଆତ୍ମହତ୍ୟା କରିଛନ୍ତି। ଅଭିନେତା ରାଇମୋହନ ପରିଡ଼ା ହୁଅନ୍ତୁ ବା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ କିମ୍ବା ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଡ଼ କଥା ହେଉଛି ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି।

ପୁଲିସ ରିପୋର୍ଟ କହୁଛି, ଗତବର୍ଷ ଯେଉଁ ୨୭୭ ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୯୪ ଜଣ ପୁରୁଷ ଓ ୪୧ ଜଣ ମହିଳା ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଥିଲେ। କେବଳ ଖଣ୍ଡଗିରି ପୁଲିସ ୬୮ ଟି ଆତ୍ମହତ୍ୟା ଜନିତ ମାମଲା(ୟୁଡ଼ି କେସ୍) ରୁଜୁ କରିଥିଲା। ସେହିପରି ତମାଣ୍ଡୋ ଏବଂ ଏୟାରପୋର୍ଟ ଥାନାରେ ମାତ୍ର ଦୁଇଟି ଆତ୍ମହତ୍ୟା ଜନିତ ମାମଲା ରୁଜୁ ହୋଇଥିଲା। ଗତକାଲି ଗୋଟିଏ ଦିନରେ ଭରତପୁର ଥାନା ଅଧୀନ ବରମୁଣ୍ଡା ହାଉସିଂବୋର୍ଡରେ ରହୁଥିବା ନବମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶନୀ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ମଧ୍ୟ ଅଜବ। ଷାଣ୍ମାଷିକ ପରୀକ୍ଷାରେ ଖରାପ ଫଳାଫଳ ଆସିବାରୁ ଆତ୍ମହତ୍ୟା କରିଛନ୍ତି। ସେହି ଥାନା ଅଧୀନ ହନୁମାନ ବସ୍ତିରେ ରହୁଥିବା ସସ୍ମିତା ବେହେରା ନାମକ ଜଣେ ମହିଳା ଆତ୍ମହତ୍ୟା କରିଥିଲେ। କାରଣ ଯୌତୁକ ନିର୍ଯାତନା। ବଡ଼ଗଡ଼ ଥାନା ଅଧୀନ ବ୍ରିଟ କଲୋନିରେ ରହୁଥିବା ଯାଜପୁରର ପ୍ରଶାନ୍ତ ବେହେରା ନାମକ ଜଣେ ବ୍ୟକ୍ତି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। କାରଣ ଏବେ ବି ଅସ୍ପଷ୍ଟ। ଚଳିତ ମାସ ସୁଦ୍ଧା ପୁଲିସର ରିପୋର୍ଟ କହୁଛି ରାଜଧାନୀରେ ୨୮୬ ଜଣ ଆତ୍ମହତ୍ୟା କରି ସାରିଲେଣି। ଚଳିତ ବର୍ଷ ମଧ୍ୟ ଖଣ୍ଡଗିରି ଓ ଭରତପୁର ଥାନା ଅଧୀନରେ ଅଧିକ ଆତ୍ମହତ୍ୟା ଜନିତ ମାମଲା ରୁଜୁ ହୋଇଛି।

କ’ଣ କହୁଛନ୍ତି ମାନସିକ ରୋଗ ବିଶେଷଜ୍ଞ

ଆତ୍ମହତ୍ୟା କାହିଁକି ବଢ଼ୁଛି ଏ ସମ୍ପର୍କରେ ହାଇଟେକ୍ ମେଡ଼ିକାଲ କଲେଜର ମାନସିକ ରୋଗ ବିଶେ‌ଷଜ୍ଞ ତଥା ପ୍ରଫେସର ଅମ୍ରିତ ପାଟ୍ଟଯୋଶୀ କୁହନ୍ତି, ୩ଟି ବୟସରେ ଆତ୍ମହତ୍ୟା କରୁଥିବା ନଜର ଆସୁଛି। କିଶୋର-ଯୁବ ଅବସ୍ଥାରେ ପରୀକ୍ଷାର ଚାପ ଓ ପ୍ରେମ ହିଁ ଆତ୍ମହତ୍ୟାର ମୂଳ କାରଣ। ସେହିପରି ୪୦ ବର୍ଷ ପରେ ବୈବାହିକ ଜୀବନ, ନିଶା, ଚାକିରି ଓ ପିଲାଛୁଆଙ୍କ ଚିନ୍ତା ପାଇଁ ଅନେକ ଆତ୍ମହତ୍ୟା କରୁଛନ୍ତି। ବୟସ୍କମାନଙ୍କ କ୍ଷେତ୍ରରେ ଜଟିଳ ରୋଗ ଓ ପିଲା ଛୁଆ ସେମାନଙ୍କଠାରୁ ଦୂରେଇ ଯିବା ହିଁ ଆତ୍ମହତ୍ୟାର କାରଣ ହେଉଛି। ତେବେ କୋଭିଡ୍‌ ପାଇଁ ଆତ୍ମହତ୍ୟାର ହାର ସାରା ବିଶ୍ବରେ ବଢ଼ିଛି। କୋଭିଡ୍‌ ଯୋଗୁ ଅନେକଙ୍କ ଚାକିରି ଗଲା, ଅନେକ ଋଣ ମଧ୍ୟ କରିଛନ୍ତି। ସେହିପରି ସ୍କୁଲ, କଲେଜ, କାର୍ଯ୍ୟାଳୟ ଆଦି ବନ୍ଦ ରହିଲା। ମିଳାମିଶା ନ କରି ପାରିବାରୁ ଲୋକେ ଘରେ ବସିବସି ମାନସିକ ଭାରସାମ୍ୟ ହରାଇ ଦେଇଥିଲେ। କୋଭିଡ୍‌ର ପ୍ରଭାବ ଆତ୍ମହତ୍ୟା ଉପରେ ଏବେ ବି ରହିଛି ବୋଲି ଶ୍ରୀ ପାଟ୍ଟଯୋଶୀ କହିଛନ୍ତି।

କାଉନସେଲିଂ ଆବଶ୍ୟକ
ଆତ୍ମହତ୍ୟା ସଂଖ୍ୟା ଏବେ ହୁ ହୁ ହୋଇ ବଢ଼ି ଚାଲିଛି। ଯାହା ସମାଜ ପାଇଁ ଚିନ୍ତାର ବିଷୟ। ଏଥିପାଇଁ ସଚେତନତା କରାଯିବା ସହିତ କାଉନସେଲିଂ ସେଣ୍ଟର ବହୁଳ ଭାବେ ଖୋଲିବା ଆବଶ୍ୟକ। ସ୍କୁଲ ଓ କଲେଜରେ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଶିକ୍ଷା ଦିଆଯିବ ଉଚିତ୍। ଯେତେ‌ ପାରିବେ ପଜିଟିଭ୍ ରହିବେ। ନେଗେଟିଭ୍ ଚିନ୍ତା କଲେ ମନରେ ବିଷ‌ାଦ ଆସିଥାଏ। ପ୍ରତ୍ୟେକ ଦିନ ଯୋଗ, ଧ୍ୟାନ ମଧ୍ୟ କରିବା ଜରୁରୀ। ନଚେତ ଆତ୍ମହତ୍ୟା ସଂଖ୍ୟା ଆହୁରି ବଢ଼ିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗର ଅବସରପ୍ରାପ୍ତ ପ୍ରଫେସର ନମିତା ମହାନ୍ତି ସୂଚନା ଦେଇଛନ୍ତି।

Related Posts