ନିର୍ବାଚନରେ ନେତାମାନଙ୍କର ମାଗଣା ପ୍ରତିଶୃତି ଉପରେ ଚିନ୍ତା ପ୍ରକୋଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ସ୍କିମ ନେଇ ଲୋକଙ୍କ ପାଖକୁ ଯିବାରେ ଲାଗିଛନ୍ତି । ଏହା ମଧ୍ୟରେ ଅନେକ ନେତାମାନେ ଭୋଟ ହାତେଇବା ପାଇଁ ମାଗଣା ସାମଗ୍ରୀ ବାଣ୍ଟିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ବେଳେବେଳେ ନେତାମାନେ ଏପରି ଅବାସ୍ତବ ମାଗଣା ପ୍ରତିଶ୍ରୁତି ମାନ ଘୋଷଣା କରୁଛନ୍ତି ଯାହାକୁ ପୂରଣ କରିବା ସରକାରୀ ବଜେଟ ପାଇଁ ସମ୍ଭବ ନୁହେଁ । ହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହା ଏକ ଗୁରୁତର ମାମଲା ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିନ ଏନ.ଭି.ରମନ୍ନା କହିଛନ୍ତି । ସେ କହିଛନ୍ତି ଏହାକୁ ସେ ରୋକିବାକୁ ଚାହୁଁଛନ୍ତି । ଏହାକୁ କିପରି ରୋକାଯାଇପାରିବ ? ଆଗାମୀ ନିର୍ବାଚନରେ ଏହାକୁ ରୋକିବାକୁ ସେ ଚାହାନ୍ତି ।

ଘୋଷଣା ହେଉଥିବା ମାଗଣା ସାମଗ୍ରୀ ଦେଶର ବଜେଟଠାରୁ ଅଧିକ । ଏହି ମନ୍ତବ୍ୟ ଦେବା ସହ କୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି । ନିର୍ବାଚନ ପୂର୍ବରୁ ଲୋକଙ୍କ ଟଙ୍କାରେ ମଗଣାରେ ବିଭିନ୍ନ ପ୍ରକାରର ଜିନିଷ ବାଣ୍ଟୁଥିବା କିମ୍ବା ନିର୍ବାଚନ ପରେ ମଗଣା ଜିନିଷ ମିଳିବ ବୋଲି କହୁଥିବା ରାଜନୀତିକ ଦଳଗୁଡ଼ିକର ପଞ୍ଜୀକରଣ ଖାରଜ କରିବାକୁ ଦାବି କରି ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହାର ଶୁଣାଣି ବେଳେ ଆଜି ସୁପ୍ରିମକୋର୍ଟ ଏପରି କହିଛନ୍ତି। ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଇସିଙ୍କୁ ନୋଟିସ କରି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୪ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ।

Related Posts