ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯେଉଁସବୁ ମାମଲା ଗୁଡ଼ିକରେ ସର୍ବୋଚ୍ଚ ଶାସ୍ତି ଭାବେ ମୃତ୍ୟୁଦଣ୍ଡ ଦିଆଯିବା କଥା ତାହାକୁ କିପରି କମାଯାଇପାରିବ ବା କେଉଁ ପରିସ୍ଥିତିରେ କମାଯାଇପାରିବ ସେ ନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ନିମନ୍ତେ ଏକ ସୋ-ମଟୋ ଆବେଦନର ବିଚାର ଲାଗି ସୁପ୍ରିମ୍‌କୋର୍ଟ ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ଦାୟିତ୍ବ ଦେଇଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ବାଧୀନ ବେଞ୍ଚ ଏନେଇ କହିଛନ୍ତି ଯେ, ଏକ ବୃହତ୍ତର ଖଣ୍ଡପୀଠରେ ଏହି ମାମଲା ଶୁଣାଣିର ଆବଶ୍ୟକତା ରହିଛି। ଥରେ ମୃତ୍ୟୁଦଣ୍ଡ ଦିଆଯିବା ପରେ ତାହାକୁ ଆଉ ବଦଳାଯାଇ ପାରିବ ନାହିଁ। ତେଣୁ ମୃତ୍ୟୁଦଣ୍ଡ ଦିଆଯିବା ପୂର୍ବରୁ ତାହାକୁ ଆଉ କୋହଳ କରିହେବ କି ନାହିଁ, ସେ ବାବଦରେ ବିସ୍ତୃତ ଭାବେ ବିଚାର କରିବାର ଆବଶ୍ୟକତା ରହିଛି। ସୁପ୍ରିମ୍‌କୋର୍ଟ ବିଚାର ପାଇଁ ଗ୍ରହଣ କରିଥିବା ଉକ୍ତ ସୋ-ମଟୋ ଆବେଦନଟିର ଶୀର୍ଷକ ହେଉଛି- ‘ଫ୍ରେମିଂ ଗାଇଡ୍‌ଲାଇନ୍ସ ରିଗାର୍ଡିଂ ପୋଟେନ୍‌ସିଆଲ ମିଟିଗେଟିଂ ସର୍କମ୍‌ଷ୍ଟାନ୍ସେସ୍ ଟୁ ବି କନ୍‌ସିଡର୍ଡ ହ୍ବାଇଲ୍ ଇମ୍ପୋଜିଂ ଡେଥ୍ ସେଣ୍ଟେସ୍ସେସ୍’।