କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – ନିର୍ବାଚନ ପ୍ରଚାରରେ ପ୍ଲାଷ୍ଟିକ ବ୍ୟାନ୍ କରିବା ପାଇଁ କେବେ ଆଇନ ଆଣିବେ ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ନିର୍ବାଚନ ପ୍ରଚାରରେ ଖୁବ୍ ଶୀଘ୍ର ପ୍ଲାଷ୍ଟିକ ବ୍ୟାନ୍ ହେବ !  ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ଏକ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ , ” ଆଶା କରୁଛୁ ଯେ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ବାଚନ ପ୍ରଚାରରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଇନ ପ୍ରଣୟନ କରିବେ । ଏହାର ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ (ASG) ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ କହିଛନ୍ତି ଯେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମାର୍ଚ୍ଚ ୨୦୨୧ ରେ ଏକ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟ ଅନୁଯାୟୀ ୧୦୦ ମାଇକ୍ରନ୍ ରୁ କମ୍ ପିଭିସି ସାଙ୍ଗକୁ ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲାଗୁ କରାଯିବ। 

ଏଏସଜି କୋର୍ଟଙ୍କୁ କହିଛନ୍ତି ଯେ ଏହି ଡ୍ରାଫ୍ଟ ସାର୍ବଜନୀନ କରାଯାଇଛି ଏବଂ ଏ ବାବଦରେ ଆଡଭାଇଜାରୀ ମଧ୍ୟ ଜାରି କରାଯାଇଛି। କିନ୍ତୁ ୟାଚିକାକର୍ତ୍ତା କହିଥିଲେ ଯେ କେବଳ ଅଡଭାଇଜାରି ପର୍ଯ୍ୟାପ୍ତ ନୁହେଁ, ପ୍ଲାଷ୍ଟିକ ବ୍ୟାନ୍ କୁ ନିର୍ବାଚନ ଆଚରଣ ବିଧିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟ ୮ ସପ୍ତାହ ପରେ କରିବେ। 

ଜାନୁଆରୀ ୨୦୨୦ ରେ ସୁପ୍ରିମକୋର୍ଟ ନିର୍ବାଚନ ସମୟରେ ପ୍ଲାଷ୍ଟିକ, ବିଶେଷକରି ବ୍ୟାନର ଏବଂ ହୋର୍ଡିଂ ବ୍ୟବହାର ବିରୋଧରେ ଏକ ପିଟିସନ ଉପରେ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ଠାରୁ ପ୍ରତିକ୍ରିୟା ଲୋଡିଥିଲେ। ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ନିର୍ବାଚନ ଆୟୋଗଙ୍କୁ ଚାରି ସପ୍ତାହ ମଧ୍ୟରେ ଏହାର ଉତ୍ତର ମାଗିଥିଲେ। 

ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଆଦେଶ ବିରୋଧରେ ଡବ୍ଲୁ ଏଡୱିନ୍ ୱିଲସନଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରୁଛନ୍ତି।  ଏହି ଆବେଦନରେ କୁହାଯାଇଛି ଯେ ନିର୍ବାଚନରେ ​​ପିଭିସି ବ୍ୟାନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଏନଜିଟି ଏକ ପ୍ରଭାବଶାଳୀ ନିର୍ଦ୍ଦେଶ ଦେଇନାହିଁ।  ୱିଲସନ୍ ଦାବି କରିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ପ୍ଲାଷ୍ଟିକରେ ନିର୍ମିତ ସାମଗ୍ରୀ ବ୍ୟବହାର କରାଯାଏ, ଯାହାକି ପରିବେଶ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି। 

Related Posts