ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ତେବେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଖନନ ଓ ନିର୍ମାଣ କାର୍ଯ୍ୟକୁ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି । ଏହା ମଧ୍ୟରେ ନିର୍ମାଣ ସ୍ଥଳରେ ଲାଗିଥିବା ପୁରୁଣା ଫଳକକୁ ହଟାଇ ନୂଆ ଫଳକ ଲଗାଇଛି ଠିକା ସଂସ୍ଥା । ସେପଟେ ନୂଆ ଫଳକରେ କ’ଣ ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ହଟାଯାଇଥିବା ପ୍ରକଳ୍ପରେ ଶୌଚାଳୟ ସହ ଦାନ କିଓସ୍କୋ, ଇଲେକ୍ଟ୍ରିକାଲ ରୁମ୍ ଓ ଅନ୍ୟାନ୍ୟ କାମର ଫଳକ ଲାଗିଥିଲା । କିନ୍ତୁ ହଠାତ୍ ଏହାକୁ ହଟାଇ ଦେବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶାସନର ସହଯୋଗରେ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ପକ୍ଷରୁ ଖନନ ଓ ନିର୍ମାଣ କାର‌୍ୟ୍ୟ ଜାରି ରହିଛି । ଏ ଉପରେ କୌଣସି ଅନୁମତି ମିଳିନଥିଲେ ବି ନିୟମକୁ ଉଲ୍ଲଂଘନ କରି ଶ୍ରୀମନ୍ଦିରରେ ୧୦୦ ମିଟର ପରିଧିରେ ପ୍ରାୟ ୩୦ରୁ ୫୦ ଫୁଟ ଗର୍ତ୍ତ ଖୋଳି ଏଭଳି ନିର୍ମାଣ ଜାରି ରହିଥିବା ଅଭିଯୋଗ ହୋଇଛି। ଯାହାର ପ୍ରମାଣ ବି ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଛି।

ଏହା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଥିବା ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଅଭିଯୋଗ କରି ଆସୁଛନ୍ତି । ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ବି ଅଭିଯୋଗ ହୋଇଛି। ଏହାସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ଜାରି ରହିଛି । କେଉଁ ସ୍ଥାନରେ କେଉଁ କାମ କରାଯାଉଥିଲା ତାହାର ଫଳକ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ଯେଉଁଥିରେ ଶୌଚାଳୟ ସହ ଦାନ କିଓସ୍କୋ, ଇଲେକ୍ଟ୍ରିକାଲ ରୁମ୍ ସହ ଅନ୍ୟାନ୍ୟ କାମର ଫଳକ ଲାଗିଥିଲା । ସେସବୁକୁ ଆଜି ହଟାଇ ଦିଆଯାଇଛି । ଯାହାକି, ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି ।