ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଏକ ଗୋରୁ ବୋଝେଇ କଣ୍ଟେନର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୩୬ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ କେଏ ୦୧ ଏଏମ୍ ୦୮୯୧ ନମ୍ବର ବିଶିଷ୍ଟ ଏକ କଣ୍ଟେନର ଗୋରୁ ବୋଝେଇ କରି ଯାଉଥିବା ସମୟରେ ରାଞ୍ଚି ବିଜୟଓ୍ଡାଡା ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ଟପାଯୋଡି ନିକଟରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଯାହାଫଳରେ କଣ୍ଟେନର ଭିତରେ ରଖାଯାଇଥିବା ଗୋରୁଙ୍କ ମଧ୍ୟରୁ ୫୦ରୁ ଉର୍ଦ୍ଧ ମୃତାହତ ହୋଇଛନ୍ତି। ୩୬ଟି ଗୋରୁଙ୍କୁ ମୃତ ଅବସ୍ଥାରେ କଣ୍ଟେନର ଭିତରୁ ବାହାରକୁ ବାହାର କରାଯାଇଥିବା ବେଳେ ୧୬ଟି ଆହତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବାରୁ କେହି ଜାଣିପାରି ନଥିଲେ। ଆଜି ଭୋରରୁ ଗ୍ରାମବାସୀମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖି ପୁଲିସରେ ଖବର ଦେଇଥିଲେ। ବୈପାରିଗୁଡା ପୁଲିସ ଏଏସ୍ଆଇ ଶିବ ଶଙ୍କର ନାୟକ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ମୃତ ଏବଂ ଆହତ ଗୋରୁଙ୍କୁ ବାହାର କରାଇଥିଲେ। ପରବର୍ତ୍ତୀ ସମୟରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁଙ୍କୁ କଣ୍ଟେନରରୁ ବାହାର କରିଥିଲେ। ତେବେ ଦୁର୍ଘଟଣା ଘଟିବା ପରେ ଗାଡ଼ିର ଡ଼୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗୋରୁ ବୋଝେଇ କଣ୍ଟେନରଟି ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଅନୁମାନ କରାଯାଉଛି। ମୃତ ଗୋରୁଙ୍କୁ ପୋତିବା ପାଇଁ ବ୍ୟବସ୍ଥା କରୁଥିବା ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନ ପଟ୍ଟନାୟକ ପ୍ରକାଶ କରିଛନ୍ତି।