
ହାଇଦ୍ରାବଦ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ, ଉଭୟଙ୍କ ଆଜିର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଟ୍ରଫି ହାସଲ କରିବାକୁ ପ୍ରସ୍ତୁତ ।
ମୋହାଲିରେ ୨୦୮ ରନ୍ ସଂଗ୍ରହ କରି ମଧ୍ୟ ଭାରତ ପରାଜିତ ହୋଇଥିଲା । ନାଗପୁରରେ ବର୍ଷା ବାଧା ସୃଷ୍ଟି କରିବାରୁ ୮ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟୀ ହୋଇଥିଲା । ବିଜୟ ସତ୍ତେ୍ୱ ଭାରତ କିଛି ଦୁର୍ବଳତା ଦୂର କରିପାରି ନଥିଲା । ଜଶପ୍ରୀତ ବୁମରା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ହର୍ଷଲ ପଟେଲ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ ।
ବୋଲରମାନେ ଫର୍ମରେ ଥିବା ମାଥ୍ୟୁ ୱେଡ୍ଙ୍କୁ ଅଟକାଇବାର ଉପାୟ ପାଇନଥିଲେ । ସେହିପରି ରିଷଭ ପନ୍ତଙ୍କୁ ଖେଳାଇ ବ୍ୟାଟିଂ ଶକ୍ତି ବୃଦ୍ଧି କରିବା ରଣନୀତି କାମରେ ଲାଗିନଥିଲା । ଅଷ୍ଟ୍ରେଲିଆ ମଧ୍ୟ ସମାନ ତ୍ରୁଟି କରିଥିଲା । ନାଥାନ ଏଲିସ ଆହତ ହୋଇଥିବା ବେଳେ କେନ ରିଚାର୍ଡସନ୍ ଫିଟ୍ ହୋଇ ଫେରିପାରିନଥିଲେ । ଅଭିଜ୍ଞ ଜୋସ ହାଜେଲଉଡ୍ ଓ ପ୍ୟାଟ୍ କମିନ୍ସ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ।
ରବିବାର ମ୍ୟାଚ୍ରେ ଉଭୟ ଦଳ ଉପରୋକ୍ତ ତ୍ରୁଟି ସୁଧାରି ପାରିଲେ ଟ୍ରଫି ହାତେଇବା ସହଜ ହେବ । ହାଇଦ୍ରାବାଦରେ ପାଗ ଭଲ ରହିଲେ ଭାରତ ଏକାଦଶରେ ପରିବର୍ତ୍ତନ କରିବ । ଭାରତ ପୁଣି ଥରେ ୬ ବୋଲର ରଣନୀତି ନେଇ ପଡିଆକୁ ଓହ୍ଲାଇବ । ଫଳରେ ପନ୍ତ ଦଳରୁ ବାଦ ପଡ଼ିବେ । ଭୁବନେଶ୍ୱର ଏକାଦଶକୁ ଫେରିବା ସମ୍ଭାବନା ଅଧିକ । ୟୁଝବେନ୍ଦ୍ର ଚହଲଙ୍କ ସ୍ଥାନରେ ରବି ଅଶ୍ୱିନଙ୍କୁ ଖେଳାଇପାରନ୍ତି । ଅଷ୍ଟ୍ରେଲିଆ ମଧ୍ୟ ୭ ବ୍ୟାଟର ରଣନୀତି ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଜୋସ ଇଂଲିଶ ପ୍ରତ୍ୟାବର୍ତ୍ତନ କରିବେ ।
ପାଗ କୋହଲା ରହିବ । ତେଣୁ ବର୍ଷା ହୋଇପାରେ । ତଥାପି ଜିମ୍ ଖାନା ଗ୍ରାଉଣ୍ଡ କର୍ମଚାରୀ ପୂର୍ଣ୍ଣ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତୁତ ରହିଛନ୍ତି । ପିଚ୍କୁ ନେଇ ପୂର୍ବାନୁମାନ କରି ହେବ ନାହିଁ । ୨୦୨୦ରେ ଶେଷ ଥର ପାଇଁ ଏଠାରେ କୌଣସି ମ୍ୟାଚ୍ ଖେଳାଯାଇଥିଲା । ତଥାପି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇପାରନ୍ତି । ଟସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ନାହିଁ । ଏଠାରେ ଖେଳାଯାଇଥିବା ଶେଷ ୧୬ଟି ଟି-ଟ୍ୱେଣ୍ଟି ମଧ୍ୟରୁ ଉଭୟ ଭାଗରେ ବ୍ୟାଟିଂ କରିଥିବା ଦଳ ୮ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।
ଭାରତ : ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ/ଆର ଅଶ୍ୱିନ ।
ଅଷ୍ଟ୍ରେଲିଆ : ଆରୋନ ଫିଞ୍ଚ(ଅଧିନାୟକ), କାମେରନ ଗ୍ରୀନ, ଷ୍ଟିଭେନ ସ୍ମିଥ୍, ଗ୍ଲେନ ମ୍ୟାକ୍ସୱେଲ୍, ଜୋସ ଇଂଲିଶ, ଟିମ ଡେଭିଡ୍, ମାଥ୍ୟୁ ୱେଡ୍, ପ୍ୟାଟ୍ କମିନ୍ସ, ନାଥାନ ଏଲିସ୍/ଡାନିଏଲ୍ ସାମ୍ସ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍ ।