କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ନେଇ କେନ୍ଦ୍ର ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବ ଟିଏମ୍‌ସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଲଗାତାର ଭାବରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ନେଇ ଅଭିଯୋଗ କରିଆସୁଛି। ଏହା ବିରୋଧରେ ଦଳ ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭାର ମୌସୁମୀ ଅଧିବେଶନରେ ଏକ ସଂକଳ୍ପ ଆଣିବାକୁ ଚିନ୍ତା କରୁଛନ୍ତି। ଟିଏମସି ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ରାଜନୈତିକ ପ୍ରତିଶୋଧ ପାଇଁ ଅପବ୍ୟବହାର କରୁଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏଥିରେ ଦଳ କେନ୍ଦ୍ର ବିରୋଧରେ ଏକ ପ୍ରସ୍ତାବ ଆଣାଯିବାର ସମ୍ଭାବନା ରହିଛି। ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚାଟୋପାଧ୍ୟାୟ କହିଛନ୍ତି ଯେ, ଆସନ୍ତା ମୌସୁମୀ ଅଧିବେଶନରେ ଏକ ପ୍ରସ୍ତାବ ଆଣିବା ନେଇ ଆଲୋଚନା ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ତାହା ଚୂଡାନ୍ତ ହୋଇନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏହା ପରେ ଆସନ୍ତା ସପ୍ତାହରେ ହେବାକୁ ଥିବା ବୈଠକରେ ଗୃହର ପରାମର୍ଶଦାତା କମିଟି ସମ୍ମୁଖରେ ଏହି ପ୍ରସ୍ତାବ ରଖାଯିବ।

ତେବେ ସୂତ୍ର ଅନୁଯାୟୀ, ବିରୋଧୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ବିରୋଧରେ ଏକ ରିଜୋଲ୍ୟୁଶନ ଆଣିବାକୁ ଯୋଜନା କରାଯାଉଛି। ଏନେଇ ଜଣେ ବରିଷ୍ଠ ଟିଏମସି ବିଧାୟକ କହିଛନ୍ତି ଯେ କେବଳ ପଶ୍ଚିମବଙ୍ଗରେ ନୁହେଁ ବରଂ ବିରୋଧୀ ଶାସିତ ସମସ୍ତ ରାଜ୍ୟରେ ଭାଜପା ସିବିଆଇ ଏବଂ ଇଡିର ଅପବ୍ୟବହାର କରୁଛି। ଭାଜପା ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ଏହି ଏଜେନ୍ସିଗୁଡ଼ିକ ଆଖି ବୁଜି ଦେଇଛନ୍ତି।

Related Posts