(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରବିବାର ଏବଂ ସୋମବାର ରାଜ୍ୟରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଅନେକ ଲୋକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ରାସ୍ତାଘାଟ ଘର ଦ୍ଵାର ସବୁ ଆଡେ ପାଣି ହିଁ ପାଣି। ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ପୁରୀ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ରେକର୍ଡ ୫୩୦ମିମି ବର୍ଷା ହୋଇଥିବା ବେଳେ କାକଟପୁରରେ ୫୨୫ମିମି ବର୍ଷା ହୋଇଛି। ସେହିପରି ୨୮ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁସାରେ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରେ ଜଣଙ୍କର ଭାସି ଯାଇ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ଲଗାଣ ବର୍ଷାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ, ଯାଜପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା ଓ ଅନୁଗୁଳ ଭଳି ୧୧ଟି ଜିଲ୍ଲାର ୫୩ଟି ବ୍ଲକ୍ ପ୍ରଭାବିତ ହୋଇଛି। ସେହିପରି ଏହି ଲଘୁଚାପ ଜନିତ ବର୍ଷାରେ ୨୭୮୯ଟି ଗାଁ, ୧୪ଟି ସହରାଞ୍ଚଳର ୧୯ଲକ୍ଷ ୫୩ହଜାର ୬୪୭ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨୬୫ଟି ଘର ଭାଙ୍ଗିଥିବା ବେଳେ ୩୮୧୯ଜଣଙ୍କୁ ଉଦ୍ଧାର କରାଯାଇଛି।
ବର୍ଷାରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ଟି ବ୍ଲକର ୧୮ଟି ଗ୍ରାମପଞ୍ଚାୟତର ୩୨ଟି ଗାଁ, ୨ଟି ସହରାଞ୍ଚଳର ୪୧ଟି ୱାର୍ଡର ମୋଟ୍ ୧୨୫୭ଜଣ ପ୍ରଭାବିତ ହୋଇଛନ୍ତି। ଏବଂ ବର୍ଷା ଯୋଗୁଁ ୯୮ଟି ଘର ଭାଙ୍ଗିଛି। ସେହିପରି ଜଗତସିଂପୁର ଜିଲ୍ଲାରେ ୮ଟି ବ୍ଲକର ୧୯୮ଟି ଗ୍ରାମପଞ୍ଚାୟତର ୧୩୨୧ଟି ଗାଁ, ୨ଟି ସହରାଞ୍ଚଳର ୧୧,୩୬,୯୭୧ ଜଣ ପ୍ରଭାବିତ ହୋଇଛନ୍ତି। ୫୩୦୪୨.୯ ହେକ୍ଟର ଜମିର ଶସ୍ୟ ପ୍ରଭାବିତ ହୋଇଛି। ୭୫ଟି ଘର ଭାଙ୍ଗିଛି। ପ୍ରଭାବିତ ଲୋକଙ୍କୁ ବିଭିନ୍ନ ସ୍ଥାନରେ ଚୁଡ଼ା, ଗୁଡ଼, ବିସ୍କୁଟ ଓ ରିଲିଫ ସାମଗ୍ରୀ ବଣ୍ଟାଯାଇଛି।
କେନ୍ଦ୍ରାପଡ଼ାରେ ୫ଟି ବ୍ଲକର ୮୧୧ଟି ଗାଁ, ୨ଟି ସହରାଞ୍ଚଳର ୭,୭୯,୨୪୧ଜଣ ପ୍ରଭାବିତ ହୋଇଛନ୍ତି। ଡେରାବିଶ ବ୍ଲକର ବଡ଼ବେତାର ଗ୍ରାମର ୬୨ବର୍ଷୀୟ ବୃଦ୍ଧା ନର୍ମଦା ସାହୁ ଏବଂ ଗରଦପୁର ବ୍ଲକର ବଡ଼ବେତାର ଗ୍ରାମର ୬୮ବର୍ଷୀୟ ବୃଦ୍ଧ ଅଭୟ ମହାପାତ୍ରଙ୍କର କାନ୍ଥ ପଡ଼ି ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକର ୩ଟି ଗାଁର ୪୪ଜଣ ପ୍ରଭାବିତ ହୋଇଛନ୍ତି। କନ୍ଧମାଳ ଜିଲ୍ଲାର ତିନିଟି ବ୍ଲକର ୨୦ଟି ଗାଁ, ଗୋଟିଏ ସହରାଞ୍ଚଳର ୫ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କଟକ ଜିଲ୍ଲାରେ ୨ଟି ବ୍ଲକର ୨ଟି ଗାଁ, ୨ଟି ସହରାଞ୍ଚଳର ୨୫୫୬ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ୫ଟି ବ୍ଲକର ୨୦ଟି ଗାଁର ୧୨୫ଜଣ ପ୍ରଭାବିତ ହୋଇଛନ୍ତି। ଯାଜପୁର ବ୍ଲକରେ ୮ଟି ବ୍ଲକର ୫୧୫ଟି ଗାଁର ୮ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୩୭୮୧୩ହେକ୍ଟର କୃଷି ଜମି ଜଳମଗ୍ନ ହୋଇଛି। ୧୨ଟି ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ପୁରୀରେ ୪ଟି ବ୍ଲକରେ ୫୨ଟି ଗାଁ, ୪ଟି ସହରାଞ୍ଚଳର ୧୫୪୩୪ଜଣ ପ୍ରଭାବିତ ହୋଇଛନ୍ତି। ଢେଙ୍କାନାଳରେ ୩ଟି ବ୍ଲକର ୯ଟି ଗାଁ, ଗୋଟିଏ ସହରାଞ୍ଚଳ ପ୍ରଭାବିତ ହୋଇଛି। ୧୧ଟି ପ୍ରାଣୀଧନଙ୍କର ମୃତ୍ୟୁ ହୋଇଛି।ଅନୁଗୁଳରେ ୩ଟି ବ୍ଲକର ୪ଟି ଗାଁର ୧୯ଜଣ ପ୍ରଭାବିତ ହୋଇଛନ୍ତି। ସେହିପରି ଏସ୍ଆର୍ସିଙ୍କ ସୂଚନା କ୍ରମେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ବୌଦ୍ଧ, ଯାଜପୁର, ସୋନପୁର ଜିଲ୍ଲାରେ ୧୦୦ମିମିରୁ ଅଧିକ ବର୍ଷା ହୋଇଛି।
