ତେଜିଲା ବିଜେଡିର ସତ୍ୟବାଦୀ କଳି; ନିଜକୁ ପ୍ରାର୍ଥୀ ଘୋଷଣା କଲେ ସଞ୍ଜୟ, ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଛି କହିଲେ ଉମା

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିଜେଡି କଳି। ପ୍ରଥମେ ନିଜକୁ ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ବୋଲି ସଂଜୟ ଦାସବର୍ମା ଘୋଷଣା କରୁଥିବା ନେଇ ଏକ ଭିଡିଓ ଭାଇରାଲ ପରେ ବର୍ତ୍ତମାନର ବିଧାୟକ ଉମା ସାମନ୍ତରାୟ କଡ଼ା ଟିପ୍ପଣୀ ରଖିଛନ୍ତି।

ଉମା କହିଛନ୍ତି ଯେ, କିଏ କଣ କହିଲା ସେଥିରେ ଯାଏ ଆସେ ନାହିଁ । ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ବୋଲି ପ୍ରଶ୍ନ କରିବା ସହ ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି କହିଛନ୍ତି ଉମା। ଏଥିସହ ସତ୍ୟବାଦୀ କହିଲେ ଉମା ସାମନ୍ତରାୟଙ୍କୁ ବୁଝାଏ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା ନେଇ ସଂଜୟଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସତ୍ୟବାଦୀରୁ ସେ ବିଜେଡି ପ୍ରାର୍ଥୀ ହେଉଥିବା ସଂଜୟ କହୁଥିବା ଦେଖାଯାଇଥିଲା। ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା କହିଥିଲେ। ଏହାପରେ ଉମା ସାମନ୍ତରାୟ ଏହି ଟିପ୍ପଣୀ ଦେଇଛନ୍ତି।

ସେପଟେ କଳି ତେଜିବା ପରେ ଦୁଇ ବରିଷ୍ଠ ନେତାଙ୍କୁ ଶଙ୍ଖ ଭବନ ଡକରା ହୋଇଛି। ଶଙ୍ଖ ଭବନରେ ପହଞ୍ଚିଛନ୍ତି ଉଭୟ ସଂଜୟ ଦାସବର୍ମା ଏବଂ ଉମା ସାମନ୍ତରାୟ। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପହଞ୍ଚିଛନ୍ତି। ତେବେ ସେଠାରେ କି ନିଷ୍କର୍ଷ ବାହାରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର।

Related Posts