ମୋତେ ଗିରଫ କରିବା ପାଇଁ ଉଦ୍ଧବ ସରକାର ପୂର୍ବତନ ପୋଲିସ କମିଶନରଙ୍କୁ ଟାର୍ଗେଟ ଦେଇଥିଲେ: ଦେବେନ୍ଦ୍ର ଫଡନାଭିସ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଜି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ଥିବା ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ମହା ବିକାଶ ଅଗାଢି ସରକାର ମୋତେ ଜେଲ ପଠାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ମୋତେ ମିଛ କେସରେ ଫସାଇବା ପାଇଁ ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଟାର୍ଗେଟ ପ୍ରଦାନ କରାଯାଇଥିଲା ।ଏ ନେଇ ଆପଣମାନେ ଯେ କୌଣସି ବଡ ପୋଲିସ ଅଫିସରଙ୍କୁ ପଚାରି ପାରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଛନ୍ତି । ଯେହେତୁ ମୋର କୌଣସି ସେଭଳି ଭୁଲ ନ ଥିଲା, ସେଥିପାଇଁ ପୋଲିସ କମିଶନର ମୋତେ ଗିରଫ କରିବାରେ ସଫଳ ହୋଇପାରି ନ ଥିଲେ ବୋଲି ଫଡନାଭିସ କହିଛନ୍ତି।

ସେ ଉଦ୍ଧବ ଠାକରେ ଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ୨୦୧୯ ବିଧାନସଭା ନିର୍ବାଚନ ପରେ ଯଦି ସେମାନେ ବିଜେପି ସହିତ ମେଂଟ କରିବାକୁ ଚାହୁଁ ନ ଥିଲେ ତାହାଲେ ମୋତେ କହି ଦେଇଥିଲେ କଥା ସରିଥାନ୍ତା । ରାଜନୀତିକୁ ତଳସ୍ତରକୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରି ନ ଥିଲେ । ତେବେ ଫଡନାଭିସଙ୍କ ଏହି ବୟାନ କୁ ନେଇ ଏ ପର୍ଯ୍ୟନ୍ତ ମୁହଁ ଉଦ୍ଧବ ଠାକରେଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Related Posts