ପ୍ରବଳ ହଟ୍ଟଗୋଳ ଯୋଗୁଁ ପୁଣି ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଦିଲ୍ଲୀ ଏମସିଡି ମେୟର ନିର୍ବାଚନ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ନଗର ନିଗମ (ଏମସିଡି) ମେୟର ନିର୍ବାଚନ ମଙ୍ଗଳବାର ମଧ୍ୟ ହୋଇପାରନି। କାଉନସିଲରଙ୍କ ହଟ୍ଟଗୋଳ ଯୋଗୁ ସଦନ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ ହୋଇଯାଇଛି । ଏଣୁ ଏମସିଡିର ମେୟର ଓ ଉପମେୟର ନିର୍ବାଚନ ମଙ୍ଗଳବାର ହୋଇଯିବ ବୋଲି କରାଯାଉଥିବା ଆଶା ମଉଳି ଯାଇଛି। ଆମ ଆଦମୀ ପାର୍ଟି (ଆପ) କାଉନସିଲରଙ୍କ ବିରୋଧ ସତ୍ତ୍ୱେ ମଙ୍ଗଳବାର କାର୍ଯ୍ୟକ୍ରମ ଆରମ୍ଭରେ ମନୋନୀତ ସଦସ୍ୟଙ୍କ ଶପଥପାଠ ଅନୁଷ୍ଠିତ ହୋଇଥିଲା। ଶପଥ ପାଠ ଚାଲିଥିବା ବେଳେ ବିଜେପି କାଉନସିଲରମାନେ ବାରମ୍ବାର ହଟ୍ଟଗୋଳ କରୁଥିଲେ।

ମନୋନୀତ କାଉନସିଲରଙ୍କ ଶପଥ ଗ୍ରହଣ ପରେ ମେୟର, ଡେପୁଟି ମେୟର ଓ ଷ୍ଟାଣ୍ଡିଂ କାଉନସିଲ ସଦସ୍ୟଙ୍କ ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲା। ତେବେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆମ ଆଦମୀ ପାର୍ଟିର ଜଣେ କାଉନସିଲର ନିଗମ ସଚିବଙ୍କ ସହ କଥା ହେବା ଲାଗି ମଞ୍ଚକୁ ଉଠିବାମାତ୍ରେ ବିଜେପି କାଉନସିଲରମାନେ ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଥମିବା ପରେ ପରବର୍ତ୍ତି କାର୍ଯ୍ୟକ୍ରମ ହେବ ବୋଲି ଆକଳନ କରାଯାଉଥିଲା। ତେବେ ବିଜେପି କାଉନସିଲରମାନେ ହଟ୍ଟଗୋଳ ଜାରି ରଖିବା ଯୋଗୁ ସଦନର କାର୍ଯ୍ୟକ୍ରମକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଛି।

ତେବେ ଏହା ପୂର୍ବରୁ ଆମ ଆଦମୀ ପାର୍ଟି କାଉନସିଲରମାନେ ମନୋନୀନତ କାଉନସିଲରଙ୍କୁ ଶପଥ ପାଠ ପରେ ଗୃହରୁ ବାହାରକୁ ବିଦା କରିବାକୁ ଦାବି କରୁଥିଲେ। ଶପଥ ପାଠ କରିଥିବା ମନୋନୀତ କାଉନସିଲର ମାନେ ଗୃହରୁ ବାହାରକୁ ଗଲେ ହିଁ ମେୟର ଓ ଉପମେୟର ପଦବୀ ଲାଗି ନିର୍ବାଚନ କରିବାକୁ ଆପ୍‌ କାଉନସିଲରମାନେ ଦାବି କରୁଥିଲେ। ଏଥି ଲାଗି ହଟ୍ଟଗୋଳ ହେବା ଯୋଗୁ କାର୍ଯ୍ୟକ୍ରମକୁ କିଛି ସମୟ ଲାଗି ସ୍ଥଗିତ କରାଯାଇଥିଲା।

ମଙ୍ଗଳବାର କଡା ସୁରକ୍ଷା ମଧ୍ୟରେ ଏମସିଡିର ମେୟର, ଉପମେୟର ଓ ଷ୍ଟାଣ୍ଡିଂକାଉନସିଲ ମେମ୍ବରଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୁରା ଏମସିଡି କାର୍ଯ୍ୟାଳୟକୁ ସଶସ୍ତ୍ର ଅର୍ଦ୍ଧସୈନିକ ବଳ ଘେରାଉ କରି ରଖିଥିଲେ। କୌଣସି ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଥର ଅନୁଷ୍ଠିତ ଏମସିଡି ବୈଠକ ହଟ୍ଟଗୋଳ, ଧସ୍ତାଧସ୍ତିରେ ସମାପ୍ତ ହୋଇଥିଲା। ଏଣୁ ଗତ ଥରର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଦ୍ଧସାମରିକ ବଳଙ୍କ ସୁରକ୍ଷାରେ ଏମସିଡି ବୈଠକ ଆହ୍ୱାନ କରାଯାଇଥିଲା।

Related Posts