
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବଦମ୍ପତିଙ୍କ ବୈବାହିକ ଜୀବନକୁ ସୁସ୍ଥ, ସୁନ୍ଦର କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଜନସଂଖ୍ୟା ନିୟନ୍ତ୍ରଣ ନେଇ ନବ ବିବାହିତଙ୍କୁ ଉପହାର ମାଧ୍ୟମରେ ସଚେତନ କରିବ ଜାତୀୟ ସ୍ବାସ୍ଥ୍ୟ ମିଶନ। ଉକ୍ତ ଉପହାରର ନାଁ ରହିଛି ‘ନବଦମ୍ପତି କିଟ୍’। ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା.ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଏନେଇ ଡା. ପାଣିଗ୍ରାହୀ କହିଛନ୍ତି, ନବଦମ୍ପତିମାନେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମ୍ରେ ୩ ବର୍ଷର ବ୍ୟବଧାନ ରଖିବାକୁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି। ଏହି ଉପହାରରେ କିଛି ପରିବାର କଲ୍ୟାଣ ପୁସ୍ତିକା, କଣ୍ଡୋମ, ଓରାଲ କଣ୍ଟ୍ରାସେପ୍ଟିକ ପିଲ୍ସ, ପ୍ରେଗ୍ନେନ୍ସି ଟେଷ୍ଟିଂ କିଟ୍, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ, ରୁମାଲ, ତଉଲିଆ, ନେଲ୍ କଟର, ଆଇନା, ପାନିଆ, ଟିକିଲି ଇତ୍ୟାଦି ରହିବ। ଏଥିସହିତ ସେହି ଗିଫ୍ଟ ଭିତରେ ବିବାହ ପଞ୍ଜୀକରଣ ଫର୍ମ ମଧ୍ୟ ନବଦମ୍ପତିଙ୍କୁ ପ୍ରଦାନ କରାଯିବ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ଉଭୟ ସହର ଓ ଗ୍ରାମାଞ୍ଚଳରେ ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ। ଆଶାକର୍ମୀମାନେ ଏହି ଗିଫ୍ଟ ବାହାଘର ଦିନ ନେଇ ନବଦମ୍ପତିଙ୍କୁ ଦେବେ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନବଦମ୍ପତିଙ୍କ ପାଇଁ ଏହି ବିବାହ ଉପହାର ଯୋଜନା ଆରମ୍ଭ କରିଥିବା ଡା. ପାଣିଗ୍ରାହୀ କହିଛନ୍ତି।