ଚର୍ଚ୍ଚାରେ ସୋନିଆଙ୍କୁ ବିହାର କଂଗ୍ରେସ ବିଧାୟକଙ୍କ ଚିଠି; “ମୁଁ ଦଳର ଏକମାତ୍ର ଯାଦବ ବିଧାୟକ, ମତେ ମନ୍ତ୍ରୀପଦ ମିଳିବା ଉଚିତ୍”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଫେରିଛି। ମହାଗଠବନ୍ଧନ ଅଂଶ ହୋଇଥିବାରୁ ଦଳ ପୁଣି ଶାସନ କୁ ଆସିଛି। ନୀତୀଶ କୁମାର ବିଜେପିଠାରୁ ସମ୍ପର୍କ ତୁଟାଇ ବିହାରରେ କଂଗ୍ରେସ ଓ ଆରଜେଡି ସମେତ ଅନ୍ୟ ବିରୋଧୀ ଦଳ ସହ ହାତମିଳାଇ ମହାମେଣ୍ଟ ସରକାର ଗଠନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଆରଜେଡିର ତେଜସ୍ୱୀ ଯାଦବ ଶପଥ ନେଇଥିବା ବେଳେ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ତେଣୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଲବି ମଧ୍ୟ ଆରମ୍ଭ ହୋଇଗଲାଣି।

ଆଉ ଏହାରି ଭିତରେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବିହାର କଂଗ୍ରେସର ବିଧାୟକ ଛତ୍ରପତି ଯାଦବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ନିଜ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଦଳରୁ ସେ ହେଉଛନ୍ତି ଏକ ମାତ୍ର ଯାଦବ ବିଧାୟକ। ତେଣୁ ତାଙ୍କୁ ମନ୍ତ୍ରୀପଦ ମିଳିବା ଉଚିତ୍। ତାଙ୍କୁ ମନ୍ତ୍ରୀପଦ ମିଳିଲେ ରାଜ୍ୟରେ ଓବିସିମାନଙ୍କ ମଧ୍ୟରେ ଦଳ ତରଫରୁ ଏକ ଶକ୍ତିଶାଳି ବାର୍ତ୍ତା ଯିବ। ବିଶେଷ କରି ଯାଦବ ମାନଙ୍କ ପାଇଁ ଏହା ବେଶ ମହତ୍ୱ ରଖିବ ବୋଲି ସେ କହିଛନ୍ତି। ଛତ୍ରପତି ଯାଦବ ସୋନିଆଙ୍କୁ ଚିଠି ଲେଖି କ୍ୟାବିନେଟ ପାହ୍ୟା ଦାବି କରିଛନ୍ତି। ଛତ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱର୍ଗତ ବାପା ତିନି ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।

ସୂଚନା ଯୋଗ୍ୟ ଯେ, ବାମଦଳ ପକ୍ଷରୁ ୧୬ ଜଣ ମହାମେଣ୍ଟ ସରକାରକୁ ସମର୍ଥନ କରୁଥିବା ବେଳେ କଂଗ୍ରେସର ରହିଛନ୍ତି ୧୯ ଜଣ ବିଧାୟକ। କୁହାଯାଉଛି, ମନ୍ତ୍ରୀମଣ୍ଡଳ ବଣ୍ଟନରେ କଂଗ୍ରେସକୁ ୪ଟି ମନ୍ତ୍ରୀପଦ ମିଳିପାରେ। ତେବେ ମନ୍ତ୍ରୀପଦକୁ ନେଇ ଆମର ହାଇ କମାଣ୍ଡ ନିଷତ୍ତି ନେବେ ବୋଲି ବିହାର ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି। ଏବେ ବିହାର କ୍ୟାବିନେଟରେ କେବଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଅଛନ୍ତି। ତେବେ ରାଜ୍ୟରେ ଖୁବ୍ ଶୀଘ୍ର କ୍ୟାବିନେଟ୍ ସମ୍ପ୍ରସାରଣ ହେବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି।

Related Posts