ଲଗାଣ ବର୍ଷା ଯୋଗୁଁ ବଢୁଛି ୭ ନଦୀର ଜଳସ୍ତର : ସତର୍କ ସଂକେତ ଉପରେ ବ୍ରାହ୍ମଣୀ, ବୈତରଣୀ, ବଂଶଧାରା, ଜଳକା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବୃଦ୍ଧି ପାଇବାରେ ଲାଗିଛି । ସେପଟେ  ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି। ଏହା ପ୍ରଭାବରେ ବହୁ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଗତ କିଛିଦିନ ତଳେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ କିଛି ଦିନ ତଳେ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଏବେ ପ୍ରବଳ ବର୍ଷା ଆଉ ଏକ ବିପତ୍ତି ଆଣିଛି। ଏହା  ନରାଜରେ ମହାନଦୀର ଜଳସ୍ତର ବଢୁଥିବା ବେଳେ ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି । 

ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ , ନରାଜରେ ବିପଦ ସଂକେତ ୨୬.୪୧ ମିଟର ଥିବାବେଳେ ଏଠାରେ ଏବେ ଜଳପ୍ରବାହ ୨୪.୯୮ ମିଟର ରହିଛି। ସେହିପରି ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏଠାରେ ଏବେ ୧୮.୩୦ ମିଟରରେ ଜଳପ୍ରବାହ ହେଉଛି। ସେହିପରି ୫ ନମ୍ବର ଜାତୀୟ ରାଜପଥ ନିକଟରେ ବୁଢାବଳଙ୍ଗ ଏବଂ ରାଜଘାଟ ଓ ଜାମସୋଳା ଘାଟରେ ବଢୁଛି ସୁବର୍ଣ୍ଣରେଖା  । 

ଗୁଣୁପୁରରେ ବଂଶଧାରା ଏବଂ ମଥାନୀରେ ଜଳକାର ଜଳସ୍ତର ବୃଦ୍ଧି ପାଉଛି । ମଥାନୀରେ ଜଳକା ନଦୀର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏଠାରେ ଗତ କାଲିଠାରୁ ବିପଦ‌ସଙ୍କେତ ଉପରେ ପାଣି ବହୁଛି। ଆଜି ଏଠାରେ ୬.୩୭ ମିଟରରେ ଜଳ ପ୍ରବାହ ହେଉଛି। ସେହିପରି ଜାମଶୋଲାଘାଟ, ରାଜଘାଟରେ ସୁବର୍ଣ୍ଣରେଖା, ଗୁଣୁପୁରରେ ବଂଶଧାରା, ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ଏବେ ସତର୍କ ସ୍ତର ମୁହାଁ ହୋଇଛି। 

ଜଳସ୍ତର ବୃଦ୍ଧିକୁ ଦେଖି ମଙ୍ଗଳବାର ସନ୍ଧ୍ୟା ୫ଟା ବେଳେ ହୀରାକୁଦର ୬ଟି ଗେଟ୍‌ ଖୋଲା ଯାଇଥିଲା। ଏହା ପ୍ରଭାବରେ ବିଭିନ୍ନ  ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ , ରାଜ୍ୟର ୪ଟି ଜିଲ୍ଲା କଟକ, ଜଗତସିଂହପୁର, ନୟାଗଡ଼, ପୁରୀରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। 

Related Posts