ରାଜଧାନୀରେ ଜଳବନ୍ଦୀ ହେବା ପଛରେ ଆଖିବୁଜା ଟାଇଲ ବିଛା ଓ କଂକ୍ରିଟକରଣ ଦାୟୀ !

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ । ସ୍ମାର୍ଟ ସିଟିର ଅସଲ ଚିତ୍ର ସାମ୍ନାକୁ ଆସିଗଲା। କାହା ଘର ଭିତରେ ପାଣି ପଶିଗଲା ତ ପୁଣି ଆଉ କେଉଁଠି ରୋଡ୍ ଉପରେ ପାଣି ମାଡି ଚାଲିଥିଲା। ତେବେ ଏହି ଲଗାଣ ବର୍ଷାରେ ଜଳବନ୍ଦୀକୁ ନେଇ ବିଭିନ୍ନ ଆଲୋଚନା ଏବଂ ସମାଲୋଚନା ଆରମ୍ଭ ହୋଇଛି। ରାଜନୈତିକ ଦଳ ମାନେ ପରସ୍ପର ଉପରେ ଦୋଷ ଲଦା ଲଦି ହେଉଛନ୍ତି। ତେବେ ଜଳବନ୍ଦୀ ପାଇଁ ମୁଖ୍ୟତଃ ଜଳପଥ ଅବରୋଧ, ଟାଇଲ ବିଛା ଓ କଂକ୍ରିଟକରଣ ଦାୟୀ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ସ୍ମାର୍ଟ ସିଟି ଭୁବନେଶ୍ବରରେ ଗତ କିଛି ବର୍ଷ ହେବ ଚାରିଆଡେ ଟାଇଲ ବିଛାକାର୍ଯ୍ୟ ଚାଲିଛି । ଟାଇଲ ବିଛାଇବାର ସୁବିଧା ନଥିଲେ ସେଠାରେ ସିଧାସଳଖ କଂକ୍ରିଟ କରିଦିଆଯାଉଛି । ପିଚୁ ରାସ୍ତାକଡରେ ବି ମାଟି ଟିକିଏ ବି ଛଡାଯାଉନି । ଅନ୍ୟ ପକ୍ଷରେ ବିଭିନ୍ନ ଗଳି ରାସ୍ତା କଡରେ ଥିବା ମାଟିକୁ ଉଠାଇ ସେଠାରେ କଂକ୍ରିଟ ଢାଳି ଦିଆଯାଉଛି । ଫଳରେ ବର୍ଷାଜଳ ମାଟିତଳକୁ ଯିବା ବଦଳରେ ରାସ୍ତା ଉପରେ ଛୁଟୁଛି । ରାଜଧାନୀରେ ନୂତନ ଭାବେ ନିର୍ମାଣ ହେଉଥିବା ‘ବକ୍ସ ଡ୍ରେନ’ ସମ୍ପୂର୍ଣ୍ଣ କଂକ୍ରିଟରେ ହେଉଥିବାରୁ ଏହାଭିତରେ ଚାଲୁଥିବା ପାଣି ବି ମାଟି ତଳକୁ ଯାଇ ପାରୁ ନାହିଁ । ଫଳରେ ଲଗାଣ ବର୍ଷା ହେଲେ ସହରର ଅଧିକାଂଶ ଡ୍ରେନରୁ ଜଳ ଉଛୁଳି ରାସ୍ତା ଉପରେ ଚାଲୁଛି।

ରାଜଧାନୀର ବିଭିନ୍ନ ସ୍ଥାନରୁ ଜଳ ପ୍ରବାହର ମାତ୍ରା ଏତେ ତୀବ୍ର ହେଉଛି ଯେ ସହରରରେ ଜଳ ନିଷ୍କାସନ ପାଇଁ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ୧୧ଟି ବଡ ବଡ ନାଳ ମଧ୍ୟ ତାକୁ ସମ୍ଭାଳି ପାରୁନାହିଁ । ତେବେ ଅଧିକାଂଶ ସ୍ଥାନରେ ନାଳ ସଫେଇ ଓ ମରାମତି ନହେବା ସାଙ୍ଗକୁ ଜବରଦଖଲରେ ସଙ୍କୁଚିତ ହେବାରେ ଲାଗିଛି । କିଛି କିଛି ସ୍ଥାନରେ ଲୋକମାନେ ନାଳ ଉପରେ ଘର ତିଆରି କରିବା ସହିତ ଶୌଚାଳୟ ନିର୍ମାଣ ବି କରୁଛନ୍ତି । ଜଳ ନିଷ୍କାସନ ପାଇଁ ରାଜଧାନୀର ନିକୋପାର୍କ, ବାଣୀବିହାର ଭଳି ଜଳାଶୟ ଏବେ ପୋତିହୋଇପଡିଛି । ଏତଦ୍ ବ୍ୟତୀତ ଆଉ କିଛି ଜବରଦଖଲକାରୀଙ୍କ ଅକ୍ତିଆରକୁ ଚାଲିଗଲାଣି । ନିକୋପାର୍କର ନଅ ନମ୍ବରରୁ ସତ୍ୟନଗର ପର୍ଯ୍ୟନ୍ତ ଏକ ପ୍ରକାର ଜବରଦଖଲ ଯୋଗୁଁ ଅଣଓସାରିଆ ହୋଇ ସହରର ଜଳ ନିଷ୍କାସନରେ ବହ ପ୍ରତିବନ୍ଧକ ସାଜିଛି ।

ତେବେ ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ଯେ ରାଜଧାନୀର ବର୍ଷାଜଳ ଆଉ ପୂର୍ବଭଳି ମାଟି ତଳକୁ ଯାଉନାହିଁ । ଫଳରେ ସହରର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି । ଆଉ କିଛିବର୍ଷ ମଧ୍ୟରେ ଅଧିକାଂଶ ଲୋକେ ବସାଇଥିବା ଗଭୀର ନଳକୂପ ଅଚଳ ହୋଇଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ ସହରରେ ଆଖିବୁଜା ଭାବେ ବିଛା ଯାଉଥିବା ଟାଇଲ୍‍ ଓ ମାଟିତାଡି କଂକ୍ରିଟ ଢାଳିବା ପ୍ରକ୍ରିୟା ଉପରେ ରୋକ ନଲାଗିଲେ ଆଗାମୀ ଦିନରେ ସାମାନ୍ୟ ବର୍ଷାରେ ବି ରାଜଧାନୀ ଉବୁଟୁବ ହେବ ।

Related Posts