
କୋଲକାତା: ଶ୍ରମିକଙ୍କୁ ଖଟାଉଛନ୍ତି କିନ୍ତୁ ମଜୁରୀ ଦେଉନାହାନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କବିରୋଧରେ ଏମିତି କିଛି କହି ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ (MGNREGA) ଲୋକଙ୍କୁ କାମ ଯୋଗାଇଦେବାର ବ୍ୟବସ୍ଥା ହୋଇଛି । ମାତ୍ର ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଉଛି କିନ୍ତୁ ମଜୁରୀ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ମମତା । ଏହା ପ୍ରଧାନମନ୍ତ୍ରୀଙ୍କ ଡାର୍ଟି ଗେମ ବୋଲି ମମତା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, “ଯେ ଆଇନ ଅନୁଯାୟୀ ୧୦୦ ଦିନିଆ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ୧୫ ଦିନ ମଧ୍ୟରେ ମଜୁରୀ ଦିଆଯିବା କଥା । କିନ୍ତୁ ଗତ ୫ ମାସ ହେଲା ଶ୍ରମିକ ମାନଙ୍କୁ ମଜୁରୀ ଦିଆନଯାଇନାହିଁ । କେନ୍ଦ୍ର ସରକାର ରାଜନୈତିକ ଡାର୍ଟି ଗେମ ଖେଳୁଛନ୍ତି ।
ଶ୍ରମିକ ମାନେ ପ୍ରତିଦିନ କାମ କରନ୍ତି, କିନ୍ତୁ ତାଙ୍କୁ ମଜୁରୀ ମିଳୁନାହିଁ । ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ମୋଟ ୬୦୦୦ କୋଟି ଟଙ୍କା ମଜୁରୀ ବାବଦକୁ ବକେୟା ରହିଛି ।”ମମତା କହିଛନ୍ତି, “ମୁଁ ପ୍ରତ୍ୟେକ TMC କର୍ମୀଙ୍କୁ ଅନୁରୋଧ କରୁଛି ଯେ, କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ଜୁନ ୫ରେ ଶ୍ରମିକଙ୍କୁ ଦେୟ ପ୍ରଦାନ କରିବାକୁ ଆନ୍ଦୋଳନ କରାଯାଉ ।” ମମତା ବାନାର୍ଜୀ ଚାରି ଦିନିଆ ପୁରୂଲିଆ ଏବଂ ବାଙ୍କୁରା ଗସ୍ତରେ ଥିବା ବେଳେ ଏପରି ମତ ଦେଇଛନ୍ତି । ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି MGNREGA ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ରାଶି ପ୍ରଦାନ ପାଇଁ ଅନୁରୋଧ କରିଥିଲେ ।