ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୭ ଦିନ ପୂ୍ର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଶୁକ୍ରବାର ଅନିଶ୍ଚିତ କାଳ ଲାଗି ସ୍ଥଗିତ କରିଦିଆଯାଇଛି। ଉଲ୍ଲେଖ ଯୋଗ୍ଯ ଯେ ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ବଡ଼ ଦିନ ଲାଗି ଅନେକ ସଦସ୍ୟ ସମୟ ପୂର୍ବରୁ ଅଧିବେଶନ ସ୍ଥଗିତ କରିବାକୁ ଆଗ୍ରହ କରିଥିଲେ।

ଲୋକସଭା ବାଚସ୍ପତି ଓମ୍ ବିରଳା ନିମ୍ନ ସଦନରେ ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ସପ୍ତଦଶ ଲୋକସଭାର ୧୦ମ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଥିବା ଘୋଷଣା କରିଛନ୍ତି। ଏହି ଅଧିବେଶନ କାଳରେ ମୋଟ ୧୩ଟି ବୈଠକ ହୋଇଥିବା ବେଳେ ଗୃହରେ ୪୮ ଘଣ୍ଟା ୪୨ ମିନିଟ୍ କାର୍ଯ୍ୟକ୍ରମ ହୋଇଥିବା କହିଛନ୍ତି। ଏହି ଅଧିବେଶନର ମୋଟ କାର୍ଯ୍ୟଉତ୍ପାଦକତା ୯୭ ପ୍ରତିଶତ ରହିଛି। ଅଧିବେଶନ କାଳରେ ନବନିର୍ବାଚିତ ସଦସ୍ୟ ଭାବେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଗୃହରେ ଶପଥପାଠ କରିଥିବା ବାଚସ୍ପତି କହିଛନ୍ତି।

ବିରଲା କହିଛନ୍ତି ଯେ, ଅଧିବେଶନ କାଳରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ବିଧାୟୀ କାର୍ଯ୍ୟକ୍ରମ ପୁରା ହୋଇଛି। ଏହି କାଳରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୩.୨୫ ଲକ୍ଷ କୋଟିର ସପ୍ଲିମିଣ୍ଟାରୀ ଡିମାଣ୍ଡ ଫର ଗ୍ରାଣ୍ଟ ମଞ୍ଜୁର ହୋଇଛି। ଏହା ଉପରେ ଗୃହରେ ୧୦ଘଣ୍ଟା ୫୩ ମିନିଟ୍‌ କାଳ ଚର୍ଚ୍ଚା ହୋଇଛି। ଅଧିବେଶନ କାଳରେ ୯ଟି ସରକାରୀ ବିଧେୟକ ଗୃହୀତ କରାଯାଇଛି। ଏହା ଛଡା ସଦସ୍ୟମାନେ ଗୃହର ଶୂନ୍ୟକାଳରେ ଜନସ୍ୱାର୍ଥ ସମ୍ବଳିତ ୩୭୪ଟି ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ଅପରପଟେ ରାଜ୍ୟସଭାର ଶୀତକାଳୀନ ଅଧିବେଶନ ମଧ୍ୟ ଶୁକ୍ରବାର ଅନିଶ୍ଚିତ କାଳ ନିମନ୍ତେ ସ୍ଥଗିତ କରିଦିଆଯାଇଛି। ସଂସଦର ଏହି ଅଧିବେଶନ କାଳରେ ଗୃହରେ ୧୦୨ ପ୍ରତିଶତ କାର୍ଯ୍ୟ ହୋଇଥିବା କୁହାଯାଇଛି। ସଦନକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ କରିବା ପୂର୍ବରୁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ତାଙ୍କ ପାରମ୍ପରିକ ସମ୍ବୋଧନରେ ଏହି ଅଧିବେଶନ କାଳରେ ଗୃହରେ ୬୩ ଘଣ୍ଟା ୨୦ ମିନିଟ୍ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଥିଲା ବୋଲି କହିଛନ୍ତି। ତେବେ ଗୃହରେ ୬୪ ଘଣ୍ଟା ୫୦ ମିନିଟ୍ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇଛି ବୋଲି ଧନଖଡ କହିଛନ୍ତି।