ଆଜିଠୁ ସଂସଦର ଶୀତ ଅଧିବେଶନ; ଆସିବ ୧୬ଟି ନୂଆ ବିଲ୍, ବିଭନ୍ନ ପ୍ରସଙ୍ଗରେ ସରକାରକୁ ଘେରିବାକୁ ବିରୋଧୀଙ୍କ ପ୍ରସ୍ତୁତି

ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ)- ଆଜିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସବୁ ଦଳର ନେତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ। ଉଭୟ ଗୃହର କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ସରକାର ସବୁ ଦଳର ସହଯୋଗ ଲୋଡିଛନ୍ତି । ଚଳିତ ଅଧିବେଶନରେ ୧୬ଟି ନୂଆ ବିଲ୍ ଆଣିବା ପାଇଁ ସ୍ଥିରୀକୃତ ହୋଇଛି । ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତ ଅଧିବେଶନରେ ୨୩ଟି କର୍ଯ୍ୟଦିବସ ରହିଛି ।

ଅନ୍ୟପଟେ ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ଯେଉଁଭଳି ଦରଦାମ ବୃଦ୍ଧି, ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଏନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ପ୍ରସଙ୍ଗ ବଡ ମୁଦ୍ଦା କରି ଗୃହ ସରଗରମ କରିପାରନ୍ତି ବିରୋଧୀ। ଏହାସହିତ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ଏହି ଅଧିବେଶନ ସମୟରେ ପ୍ରକାଶ ପାଇବ। ଏହି ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାର ଗୋଟିଏ ଦିନ ପୂର୍ବରୁ ଅଧିବେଶନ ଆରମ୍ଭ ହେଉଥିବାରୁ ଗୃହର ମାହୋଲ ଅଧିକ ଉଷ୍ମ ରହିବା ଆଶା କରାଯାଉଛି । ସେପଟେ ସୀମାରେ ଚାଇନାର ଦାଦାଗିରି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଅପବ୍ୟବହାର ଅଭିଯୋଗ ଉପରେ ଆଲୋଚନା ହେବା ନେଇ ଦାବି ହୋଇପାରେ। ସେପଟେ ଭରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଥିବା କଂଗ୍ରେସ ନେ ରାହୁଲ ଗାନ୍ଧି ଏବଂ ବହୁ ବରିଷ୍ଠ କଂଗ୍ରେସ ନେତା ଏହି ଅଧିବେଶନରେ ଯୋଗଦେଇ ନପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Posts