କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଆଉ ବର୍ଷ ଯାଏଁ ୮୦ କୋଟି ଜନତାଙ୍କୁ ମିଳିବ ମାଗଣା ରାସନ

ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ଶୁକ୍ରବାର ଗରିବଙ୍କୁ ମାଗଣା ଖାଦ୍ୟ ଦେବା ନେଇ କ୍ୟାବିନେଟ୍‌ରେ ବଡ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଆଧାରରେ ଦେଶର ୮୦ କୋଟି ଜନତାଙ୍କୁ ମାଗଣାରେ ମିଳୁଥିବା ରାସନ ଅବଧିକୁ ଆଉ ଗୋଟିଏ ବର୍ଷ ପାଇଁ ବଢାଇଛନ୍ତି। ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ପିୟୂଷ ଗୋଏଲ।ଏଥିରେ କେନ୍ଦ୍ର ସରକାରଙ୍କ ଉପରେ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝଭାର ପଡିବ। ତେବେ ଏହି ରାସନ ଗରିବଙ୍କୁ ସଂପୂର୍ଣ୍ଣ ମାଗଣା ଦିଆଯାଉଥିବାବେଳେ ଏହି ଯୋଜନା ଉପରେ ସରକାର ପ୍ରତି ବର୍ଷ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

କେନ୍ଦ୍ରୀୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି ଯେ, ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଆଧାରରେ ଚାଉଳ, ଗହମ ଏବଂ ଅନ୍ୟ ଶସ୍ୟ କ୍ରମଶଃ କିଲୋ ପିଛା ୩ ଟଙ୍କା, ୨ ଟଙ୍କା ଏବଂ ୧ ଟଙ୍କା ହିସାବରେ ଦେଇଥାନ୍ତି। ତେବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ରାସନ ମିଳିବ।

ଏହା ପୂର୍ବରୁ ସରକାର ସେପ୍ଟେମ୍ବରରେ ଏହି ଯୋଜନାର ସମୟ ସୀମାକୁ ତିନି ମାସ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇଥିଲେ। କୋଭିଡ୍ ସମୟରେ ଗରିବ ଲୋକଙ୍କୁ ବଡ ଆଶ୍ଵସ୍ତି ଦେବା ପାଇଁ ଏହି ଯୋଜନା ଲାଗୁ କରାଯାଇଥିଲା। ଗତ ୨୮ ମାସରେ ସରକାର ଗରିବଙ୍କୁ ମାଗଣା ରାସନ ଉପରେ ୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ୨୦୨୦ ମାର୍ଚ୍ଚରେ କୋଭିଡ୍ ସଙ୍କଟ ସମୟରେ ଲାଗୁ କରାଯାଇଥିଲା। ଏହି ଯୋଜନାରେ ଦେଶର ପ୍ରାୟ ୮୦ କୋଟି ଜନତା ଉପକୃତ ହୋଇଛନ୍ତି। ଏହି ଯୋଜନା ଆଧାରରେ ବିପିଏଲ କାର୍ଡଧାରୀ ପରିବାରଙ୍କୁ ବ୍ୟକ୍ତି ପିଛା ୪ କିଲୋଗ୍ରାମ ଗହମ ଏବଂ ଏକ କିଲୋଗ୍ରାମ ଚାଉଳ ମାଗଣାରେ ଦିଆଯାଏ। ଅନେକ ଥର ଏହି ଯୋଜନାର ଅବଧିକୁ ବଢା ଗଲାଣି।

ଏହି ଯୋଜନା ସର୍ବ ପ୍ରଥମେ ୨୦୨୦ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟରେ ତିନି ମାସ ୨୦୨୦ ଏପ୍ରିଲ-ଜୁନ ପାଇଁ ଲାଗୁ କରାଯାଇଥିଲା। ଏହି ପର୍ଯ୍ୟନ୍ତ ଏହି ଯୋଜନା ସାତଟି ପର୍ଯ୍ୟାୟ ହୋଇ ସାରିଲାଣି। ୨୦୨୨ ମାର୍ଚ୍ଚରେ ଏହି ଯୋଜନାକ ଛଅ ମାସ ପାଇଁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ପରେ ତିନି ମାସ ପାଇଁ ଅର୍ଥାତ ଡିସେମ୍ବର ପର୍ଯ୍ୟନ୍ତ ବଢାଯାଇଥିଲା। ଆଉ ଶୁକ୍ରବାର କେନ୍ଦ୍ରୀୟ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢାଇଛନ୍ତି।

Related Posts