ନୂଆ ସଂସଦ ଭବନ ଅଭିମୁଖେ ପଦଯାତ୍ରା କରୁଥିଲେ କୁସ୍ତିଯୋଦ୍ଧା, ଉଠାଇ ନେଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେଇଛି । ଆଜି ପୂର୍ବାହ୍ନରେ ସେମାନେ ନୂଆ ସଂସଦ ଭବନ ଅଭିମୁଖେ ପଦଯାତ୍ରାରେ ବାହାରୁଥିବା ବେଳେ ବଳ ପ୍ରୟୋଗ କରି ପୋଲିସ ସେମାନଙ୍କୁ ବାଧା ଦେବା ସହ ଉଠାଇ ନେଇ ଅଟକ ରଖିଛି ।

ଏହା ସହ ସମଗ୍ର ଜନ୍ତରମନ୍ତରରେ ଧାରା ୧୪୪ ଜାରି କରାଯାଇଛି । ଉକ୍ତ ସ୍ଥାନରେ କୌଣସି ଆନ୍ଦୋଳନ, ଧାରଣାକୁ ଏବେ ଅନୁମତି ମିଳିବ ନାହିଁ । କୁସ୍ତିଯୋଦ୍ଧାମାନେ ଆଉ ଜନ୍ତରମନ୍ତରକୁ ଫେରି ନପାରିବା ପାଇଁ ପୋଲିସ ସେମାନଙ୍କ ଦ୍ବାରା ବନ୍ଧାଯାଇଥିବା ଟେଣ୍ଟ ଓ କ୍ୟାମ୍ପକୁ ମଧ୍ୟ ହଟାଇ ଦେଇଛି ।

ଆଜି ଲୋକାର୍ପିତ ହୋଇଥିବା ନୂତନ ସଂସଦ ଭବନ ଆଡକୁ ଏହି ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ମାର୍ଚ୍ଚ ବାହାର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦିଲ୍ଲୀ ପୋଲିସ ବଳ ପ୍ରୟୋଗ କରିବା ସହ ସେମାନଙ୍କୁ ବାଧା ଦେଇଥିଲା । କୁସ୍ତିଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ସମେତ ଅନ୍ୟ କିଛି କୁସ୍ତିଯୋଦ୍ଧା ଓ ସେମାନଙ୍କ ସମର୍ଥନରେ ଜନ୍ତରମନ୍ତରରେ ବସିଥିବା ଖାପ ପଞ୍ଚାୟତର କିଛି କର୍ମକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇଥିଲା । ଜନ୍ତରମନ୍ତର ଖାଲି କରିବା ବେଳେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା । ଯାହାକୁ ରାଜନୀତି ମଧ୍ୟ ଆରମ୍ଭ ହେଲାଣି ।

ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ସେମାନେ ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଛନ୍ତି । ହେଲେ ସରକାରୀ ଦଳର ସାସଂଦ ହୋଇଥିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସେମାନେ ଅଭିଯୋଗ କରୁଛନ୍ତି । ବିରୋଧୀ ରାଜନୈତିକ ଦଳମାନେ ମଧ୍ୟ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଏବେ ଖାପ ପଞ୍ଚାୟତ ଓ କୃଷକ ସଂଗଠନ ମଧ୍ୟ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି । ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଏହି କୁସ୍ତିଯୋଦ୍ଧାମାନେ ଧାରଣା ଜାରି ରଖିଥିଲେ ସୁଦ୍ଧା ବ୍ରିଜଭୂଷଣ ସିଂ କୁସ୍ତି ମହାସଂଘ ସଭାପତି ପଦରୁ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ।

ହେଲେ ବ୍ରିଜଭୂଷଣଙ୍କ ଗିରଫଦାରି ବିନା ସେମାନେ ଆନ୍ଦୋଳନ ଭଙ୍ଗ କରିବେ ନାହିଁ ବୋଲି କୁସ୍ତିଯୋଦ୍ଧାମାନେ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଲୋକାର୍ପିତ କରିବା ଅବସରରେ, ଏହି କୁସ୍ତିଯୋଦ୍ଧାମାନେ ନୂଆ ସଂସଦ ଭବନକୁ ପଦଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ । ପୋଲିସ ସେମାନଙ୍କୁ ବଳ ପ୍ରୟୋଗ କରି ଉଠାଇ ନେବା ସହ ଧାରଣାସ୍ଥଳ ଜନ୍ତର ମନ୍ତ୍ରରରେ ଧାରା ୧୪୪ ଜାରି କରିଛି ।

Related Posts