ମହଙ୍ଗା ପଡିଲା ଟ୍ରେନରୁ ମୋବାଇଲ ଚୋରି; ଚଳନ୍ତା ଟ୍ରେନରେ ୧୦ କିମି ପର୍ଯ୍ୟନ୍ତ ଝୁଲି ରହିଲା ଚୋର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହଙ୍ଗା ପଡିଲା ଟ୍ରେନ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି। ଚଳନ୍ତା ଟ୍ରେନରେ ୧୦ କିମି ପର୍ଯ୍ୟନ୍ତ ଝୁଲି ରହିଲା ଚୋର। ଟ୍ରେନର ଝରକା ବାଟ ଦେଇ ମୋବାଇଲ ଝାମ୍ପିବାକୁ ଉଦ୍ୟମ କରୁଥିଲା ଚୋର। ଏହି ସମୟରେ ଜଣେ ଯାତ୍ରୀ ହଠାତ୍ ଚୋରକୁ କାବୁ କରି ନେଇଥିଲେ । ଫଳରେ ପର ଷ୍ଟେସନ ଆସିବା ଯାଏଁ ପାଖାପାଖୀ ୧୦ କିଲୋମିଟର ଯାଏଁ ଚୋର ସେମିତି ଚଳନ୍ତା ଟ୍ରେନରେ ଝୁଲିରହିଥିଲା। ତେବେ ଏଭଳି ଘଟଣା ଘଟିଛି ବିହାରର ସାହେବପୁର କମଲ ଷ୍ଟେସନ ନିକଟରେ । ଝରକାରେ ଝୁଲି ରହିଥିବା ଅବସ୍ଥାରେ ଚୋର ଜଣଙ୍କ ବାରମ୍ବାର କ୍ଷମା ମାଗିଥିଲେ ମଧ୍ୟ ହାତକୁ ଭିଡ଼ି ଧରିଥିବା ଦୁଇ ଜଣ ଯାତ୍ରୀ କିଛି ଶୁଣି ନଥିଲେ। ଏହି ଘଟଣାଟି ସେପ୍ଟେମ୍ବର ୧୪ରେ ବିହାରରେ ଘଟିଥିଲା। ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ବେଗୁସରାଇରୁ ଖଗରିଆ ଯାଉଥିଲା। ଏଥିରେ ବସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଯୁବକ ଜଣଙ୍କ ସାହେବପୁର କମଲ ଷ୍ଟେସନରେ ମୋବାଇଲ ଛଡ଼ାଇବାକୁ ଝରକା ପଟେ ଚେଷ୍ଟା କରିଥିଲେ। ତେବେ ସେ ମୋବାଇଲ ଝାମ୍ପିବା ବେଳେ ସତର୍କ ଥିବା ଯାତ୍ରୀ ଜଣଙ୍କ ତାଙ୍କ ହାତକୁ ଧରି ପକାଇଥିଲେ।

Related Posts