ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ପାଞ୍ଚ ଲକ୍ଷ ୩୦ ହଜାରରୁ ଅଧିକ ପୁଲିସ ପଦବୀ ଖାଲି ପଡ଼ିଛି । ସର୍ବାଧିକ ଉତ୍ତରପ୍ରଦେଶରେ ୧ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏମପି ଡ.ଟି.ଆର ପରିବେନ୍ଦ୍ରଙ୍କ ପକ୍ଷରୁ ପଚରା ଯାଇଥିବା ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଲୋକସଭାକୁ ଅବଗତ କରାଇଛନ୍ତି ଯେ ପୁଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଅନୁଯାୟୀ ଦେଶରେ ପୁଲିସ ପଦବୀର ସ୍ୱୀକୃତି ସଂଖ୍ୟା ୨୬,୨୩,୨୨୫ ରହିଛି ।

ମାତ୍ର ୨୦,୯୧, ୪୮୮ ପଦବୀ ପୂରଣ ହୋଇଛି । ଅନ୍ୟପଟେ ୨୦୨୦ ଜାନୁଆରୀ ୧ ସୁଦ୍ଧା ୫, ୩୧,୭୩୭ ପଦବୀ ଖାଲି ପଡ଼ିଛି । କେବଳ ଏତିକି ନୁହେଁ ବରଂ ପ୍ରାୟ ଏକ ଲକ୍ଷରୁ ଅଧିକ ପୁଲିସ ପଦବୀ ଉତ୍ତରପ୍ରଦେଶରେ ଖାଲି ପଡ଼ିଛି । ସେହିପରି ପଶ୍ଚିମବଙ୍ଗରେ ୫୫,୨୯୪ ଏବଂ ବିହାରରେ ୪୭,୦୯୯ ପଦବୀ ଖାଲି ପଡ଼ିଛି ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ।