ରାଜ୍ୟ ସରକାରଙ୍କ ୧୨ ବିଭାଗରେ ନାହାନ୍ତି ସ୍ଥାୟୀ ସଚିବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି । ଏହି ବିଭାଗ ଗୁଡ଼ିକର ଦାୟିତ୍ବ ଅନ୍ୟ ବିଭାଗର ସଚିବମାନେ ଅତିରିକ୍ତ ଭାବେ ତୁଲାଉଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି, ଅନ୍ୟ ବିଭାଗର ସଚିବ ମାନେ ଏହି ଦାୟିତ୍ୱରେ ଅଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୫ବର୍ଷରୁ ଅଧିକ ସମୟ ଧରି ଦୁଇଜଣ ସଚିବ ତିନିଟି ବିଭାଗର ଦାୟିତ୍ୱରେ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ।

ଭାରତୀୟ ପ୍ରଶାସନିକ ସେବାର ଏହି ଦୁଇ ଜଣ ସଚିବମାନେ ହେଉଛନ୍ତି ସରକାରୀ ଉଦ୍ୟୋଗ ବିଭାଗ ଦାୟିତ୍ୱରେ ଥିବା ବିଜୟ ଆରୋରା ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା ଜି.ମାଥିଭାଥନନ୍‍ । ପ୍ରଶାସନିକ ଆବଶ୍ୟକତା ଓ ଜନସଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଉପରୋକ୍ତ ସଚିବମାନଙ୍କୁ ବିଭାଗରୁ ବଦଳି କରାଯାଇ ନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Posts