(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଏବେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ସେ କହିଛନ୍ତି ଯେ, ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ଏହି ୪ଟି ଜିଲ୍ଲା ହେଉଛି କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ । ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢିଛି । ଫଳରେ ରେଙ୍ଗାଲିର ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି ଫଳରେ ବ୍ରାହ୍ମଣୀରେ ଜଳସ୍ତର ବଢିବ । ସେହିଭଳି ଛତିଶଗଡରେ ପ୍ରବଳ ବର୍ଷା ଫଳରେ ଏବେ ହୀରାକୁଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି। ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ ଗୁଡ଼ିକରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ପାରେ ବୋଲି ଆକଳନ କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦକୁ ୫.୨୦ ଲକ୍ଷ କୁସେକ୍ ଜଳ ପଶୁଥିବା ବେଳେ ୪.୮୦ ଲକ୍ଷ କୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ମୁଣ୍ଡୁଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। ଏସ୍ଆରସି କହିଛନ୍ତି ଯେ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଶାସନ ପକ୍ଷରୁ ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ମୁତୟନ କରାଯାଇଛି।
ଗତ ୧୪ ତାରିଖରେ ଗୋଟିଏ ଟିମ୍ ଭଦ୍ରକ ଯାଇଥିବା ବେଳେ ଆଜି ସକାଳୁ ତିନିଟି ଟିମ୍ କେନ୍ଦ୍ରାପଡ଼ା, କଟକ ଓ ପୁରୀ ଯାଇଛନ୍ତି । ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ଅଛନ୍ତି ଏହା ସହିତ ବାଲେଶ୍ୱର ଜିଲ୍ଲାରେ ଥିବା ଏନଡିଆରଏଫ୍ ରାପିଡ ରେସ୍ପନ୍ସ ସେଣ୍ଟରରେ ଥିବା ଗୋଟିଏ ଟିମ୍ ବାଲେଶ୍ୱରରେ ମୁତୟନ କରାଯାଇଛି ।
