ଚାନ୍ଦିପୁର ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ଲିକ୍ ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଚାନ୍ଦିପୁର ଡିଆରଡିଓରୁ ଗୁପ୍ତ ତଥ୍ୟ ଶତ୍ରୁ ଦେଶକୁ ପଠାଉଥିବା ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ ।  ପୂର୍ବରୁ ଏହି ମାମଲାରେ ୪ ଜଣ ଠିକା କର୍ମଚାରୀ ଗିରଫ ହୋଇଥିଲେ। ଏବେ ଏହି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ କୁମାର ଓରଫ ଛତା। ତାଙ୍କ ଘର ଉତ୍ତର ପ୍ରଦେଶ। ସଚିନ ଡିଆରଡିଓରେ ଡ୍ରାଇଭର ଭାବେ କାମ କରୁଥିବା ସୂଚନା ମିଳିଛି। ଗିରଫ ପରେ ଅଭିଯୁକ୍ତକୁ ପୋଲିସ ହେପାଜତକୁ ନିଆଯିବା ସହ ପଚରାଉଚରା କରାଯାଉଛି । ଏବେ କ୍ରାଇମବ୍ରାଞ୍ଚ  ଏହି ଘଟଣାରେ ଅଭିଯୁକ୍ତଙ୍କୁ ଜେରା କରିବ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କାମ କରୁଥିବା ଏହି ଅଭିଯୁକ୍ତମାନେ , ପାକିସ୍ତାନର ଜଣେ ମହିଳାଙ୍କ ହନିଟ୍ରାପରେ ପଡିଥିବା କୁହାଯାଉଛି। 

ସର୍ଭିଲାନ୍ସରୁ ମିଳିଥିବା ଅନୁସାରେ ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଅଭିଯୁକ୍ତମାନେ ନିୟମିତ ଯୋଗାଯୋଗରେ ରହିବା ସହ ଟଙ୍କା କାରବାର କରୁଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ଗୁପ୍ତ ତଥ୍ୟ ଦେଣ ନେଣ ହେଉଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ବହୁ ପରିମାଣରେ ଟଙ୍କା ପାଉଥିଲେ ଏହି ଅଭିଯୁକ୍ତ ମାନେ। ଅନଲାଇନ ମାଧ୍ୟମରେ ଟଙ୍କା କାରବାର ହେଉ ଥିବାରୁ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । 

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତଥ୍ୟ ଲିକ ନେଇ ଗିରଫ  ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପାକ ମହିଳାଙ୍କ ସହ ବସନ୍ତ ବେହେରାର ଅଧିକ ସମ୍ପର୍କ ଥିଲା । ତେବେ ଡ୍ରାଇଭର ସଚିନଙ୍କ ସମେତ ଆଉ ୪ ଜଣ ଠିକା କର୍ମଚାରୀ ଗିରଫ ହେବା ପରେ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ ଚାଲିଛି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଛି ଯେ ଏହି ଚେର କେତେବାଟ ଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଇଶ୍ୱର ବେହେରା ମାମଲାରେ ମଧ୍ୟ ତଦନ୍ତ ସମାନ ଦିଗରେ ଆଗେଇ ଥିଲା । ଏପରକିି ଏନଆଇଏ ମଧ୍ୟ ଷଡଯନ୍ତ୍ର ଉପରୁ ପରଦା ହଟାଇଥିଲା । 

Related Posts