ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ୪ ଜଣ ଓଡ଼ିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ୪ ଜଣ ଓଡ଼ିଆ । ଟ୍ରାଭେଲ ଏଜେଣ୍ଟ ପକ୍ଷରୁ ନିଖୋଜ ଓଡ଼ିଆ ପରିବାରକୁ ଏନେଇ ଫୋନ୍‌ରେ ସୂଚନା ଦିଆଯାଇଛି। ନିଖୋଜ ୪ ଜଣ ଓଡ଼ିଆ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରୀତିକା ତ୍ରିପାଠୀ ଓ ବୈଭବ ତ୍ରିପାଠୀ। ସୂଚନା ଅନୁସାରେ ଅଶୋକ ତ୍ରିପାଠୀ ଭୁବନେଶ୍ୱରରେ ରହୁଥିଲେ। ସେ ଇନ୍‌ଫୋସିସ ଅଞ୍ଚଳରେ କାମ କରୁଥିଲେ। କିନ୍ତୁ ତାଙ୍କର ପତ୍ନୀ ମୁମ୍ବାଇରେ ଚାକିରି କରୁଥିଲେ। ତେଣୁ ତାଙ୍କର ପରିବାର ମୁମ୍ବାଇରେ ରହୁଥିଲେ।

ନିକଟରେ ଅଶୋକ ମୁମ୍ବାଇ ଯାଇଥିଲେ ଏବଂ ସେଠାରୁ ସେ ପରିବାର ଲୋକଙ୍କର ସହିତ ନେପାଳ ଯାଇଥିଲେ। ନେପାଳର ପୋଖରାରୁ ବିମାନଟି ମୋଟ ୨୨ ଜଣ ଯାତ୍ରୀଙ୍କୁ ନେଇ ଜୋମ୍‌ସୋମ୍‌ ଅଭିମୁଖେ ଉଡ଼ିଥିଲା। ବିମାନରେ ୪ ଜଣ ଭାରତୀୟ, ୨ ଜଣ ଜର୍ମାନୀ, ୧୩ ଜଣ ନେପାଳୀ ଓ ୩ ଜଣ କ୍ରୁ ସଦସ୍ୟ ଥିଲେ। ଏହି ବିମାନ ଆଜି ପୂର୍ବାହ୍ନ ୧୦ଟା ୧୫ରେ ଜୋମ୍‌ସୋମ୍‌ ବିମାନବନ୍ଦରରେ ଅବତରଣ କରିବାର ଥିଲା। କିନ୍ତୁ ବିମାନଟି ଉଡ଼ିବାର କିଛି ସମୟ ପରେ ନିଖୋଜ ହେବାର ଖବର ମିଳିଥିଲା। ପରେ ଏହାର ଭଗ୍ନାବଶେଷ କୋଓ୍ଵାଙ୍ଗରୁ ମିଳିଥିବା ଜଣାପଡ଼ିଛି।

Related Posts