
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ୧୦୩ ଦିନ ଜେଲ୍ରେ ରହିବା ପରେ ଶେଷରେ ଗତକାଲି ରାତିରେ ଜେଲ୍ରୁ ମୁକୁଳିଛନ୍ତି ଶିବସେନାର ସାଂସଦ ତଥା ହେଭିୱେଟ ନେତା ସଞ୍ଜୟ ରାଉତ । ଗତରାତିରେ ସେ ଜେଲ୍ରୁ ମୁକୁଳିବା ବେଳେ ଜେଲ୍ ସମ୍ମଖରେ ଶହ ଶହ ଶିବସେନା କର୍ମୀଙ୍କ ଭିଡ଼ ଲାଗିଥିବା ବେଳେ ସେମାନେ ତାଙ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ବିଜେପି ଉପରେ ବର୍ଷିବା ସହ ସଞ୍ଜୟ ରାଉତ କହିଥିଲେ ଯେ, ମରିବି ପଛେ ଶିବସେନା ଛାଡ଼ିବି ନାହିଁ ବୋଲି କହିଛନ୍ତି ।
କେନ୍ଦ୍ରର ବିଜେପି ସରକାରଙ୍କ ଇଙ୍ଗିତରେ ତାଙ୍କୁ ଗିରଫ କରାଯାଇଥିଲା, ହେଲେ ଏବେ ସେ ମୁକୁଳିଯାଇଥିବାରୁ ଯୁଦ୍ଧର ବେଳ ଆସି ଯାଇଛି ବୋଲି କହିଛନ୍ତି ସଞ୍ଜୟ। ଏଥିସହ ମୋତେ ୧୦୩ ଦିନ ଜେଲ୍ରେ ରଖିଥିବାରୁ ଏବେ ୧୦୩ ବିଧାୟକଙ୍କୁ ଜିତାଇ ମହାରାଷ୍ଟ୍ର ବିଧାନସଭାକୁ ପଠାଇବି ବୋଲି ସେ ଜୋରଦେଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପାତ୍ରା ଚୌଲ୍ ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୧୦ରେ ଇଡି ଦ୍ୱାରା ବନ୍ଧା ହୋଇଥିଲେ ସଞ୍ଜୟ ରାଉତ । ଦୀର୍ଘ ୩ ମାସ ମୁମ୍ବାଇର ଆର୍ଥର ଜେଲ୍ରେ ରହିବା ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଗତକାଲି ତାଙ୍କୁ ୨ ଲକ୍ଷର ଜମାନତରେ ଜାମିନ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ଇଡି ପକ୍ଷରୁ ସମୟ ମଗା ଯାଇଥିବା ବେଳେ କୋର୍ଟ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ।
ତେବେ ଅକ୍ଟୋବର ୨୧ରେ ସଞ୍ଜୟଙ୍କ ଜାମିନ ଆବେଦନ ଉପରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ଗତକାଲି ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଜେଲରୁ ବାହାରିବା ପରେ ସଞ୍ଜୟ ରାଉତଙ୍କୁ ଏକ ବିରାଟ ପଟୁଆରରେ ତାଙ୍କ ଘର ପର୍ଯ୍ୟନ୍ତ ନିଆଯାଇଥିଲା।
ସେଠାରେ ସଞ୍ଜୟ ରାଉତଙ୍କ ସ୍ୱାଗତ ନିମନ୍ତେ ଏକ ମଞ୍ଚ ପ୍ରସ୍ତୁତ ହୋଇଥିବା ବେଳେ ଏକ ବ୍ୟାନରରେ ସତ୍ୟମେବ ଜୟତେ ଲେଖାଯାଇଥିଲା । ଏହି ଅବସରରେ ସଞ୍ଜୟ ରାଉତ କହିଥିଲେ ଶହେ ଦିନ ପରେ ସମସ୍ତେ ମୋତେ ମନେ ପକାଇଲେ, ତେଣୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ଏହି ଜାଗାରୁ ମୋତେ ଗିରଫ କରି ନେଇଥିଲେ। ସେତେବେଳେ ମରିବାକୁ ପସନ୍ଦ କରିବି, ହେଲେ ଶରଣ ପଶିବି ନାହିଁ ବୋଲି କହିଥିଲି। ୩ ମାସ ମଧ୍ୟରେ ଶିବସେନାକୁ ଭାଙ୍ଗିବା ଏବଂ ଧ୍ୱଂସ କରିବାକୁ ବହୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଶିବସେନା ଭାଙ୍ଗି ନାହିଁ। ଏହା ଆହୁରି ବଳିୟାନ ହୋଇ ଉଠିଛି। ମୋତେ ଗିରଫ କରି ସେମାନେ ସବୁଠୁ ବଡ ଭୁଲ କରିଛନ୍ତି, ବର୍ତ୍ତମାନ ସେମାନେ ନିଜ ଭୁଲ୍ ବୁଝିପାରିବେ ବୋଲି କହିଛନ୍ତି ସଞ୍ଜୟ ରାଉତ ।
ମୋର ଗିରଫ ଆଦେଶ ଦିଲ୍ଲୀରୁ ଆସିଥିଲା । ମୋତେ ଜେଲ୍ ଭିତରେ ପୁରାଇ ଦେଲେ ତାଙ୍କ ସରକାର ଆସିଯିବ ବୋଲି କୁହାଯାଇଥିଲା। ହେଲେ ମୋର ଗିରଫଦାରୀ ବେଆଇନ ବୋଲି କୋର୍ଟ କହିଛନ୍ତି । ମୋତେ ଯେତେଥର ଗିରଫ କଲେ ବି ମୁଁ ଶିବସେନା ଛାଡିବି ନାହିଁ।
ଏହି ଅବସରରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବାଲାସାହେବଙ୍କ ନାମ ନେବା ଅଧିକାର ଦେଶଦ୍ରୋହୀଙ୍କ ପାଖରେ ନାହିଁ । ମୁମ୍ବାଇକୁ କବଜା କରିବା ପାଇଁ ତଥା ଶିବସେନାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ମୋତେ ଗିରଫ କରାଯିବା ପରେ ସମସ୍ତେ କାନ୍ଦୁଥିଲେ, କିନ୍ତୁ ବର୍ତ୍ତମାନ କେହି କାନ୍ଦିବେ ନାହିଁ, ଆମେ ଏବେ ଯୁଦ୍ଧ କରିବା । ମୋତେ ୧୦୩ ଦିନ ଜେଲରେ ରଖାଗଲା । ବର୍ତ୍ତମାନ ଅମର ୧୦୩ ଜଣ ବିଧାୟକ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହେବେ। ଏହା ମୋର ଗିରଫଦାରୀରୁ ଆରମ୍ଭ ହୋଇଥିଲା, ବର୍ତ୍ତମାନ ମୁଁ ମୁକ୍ତ ହୋଇଛି, ଆଉ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି।