ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀଙ୍କ ଇସ୍ତଫା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ରେଡ୍ଡୀ ମୋର ମିତ୍ର ଓ ଆମେ ପାରସ୍ପର ସମସ୍ୟାର ସମାଧାନ ବାଟ ଖୋଜି କାଢିବୁ। ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ହ୍ୱାଟସ୍ ଆପ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପଠାଇଥିଲେ, ଯାହା ଶିବକୁମାର ପାଇଥିବାର ସ୍ୱୀକାର କରିଛନ୍ତି।
ତେବେ ପ୍ରସଙ୍ଗ ନେଇ ଜୁନ ୫ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ବୈଠକର ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନାହାନ୍ତି। ସେହିପରି ମନ୍ତ୍ରୀମଣ୍ଡଳରୁ ଆଉ ଜଣେ ମନ୍ତ୍ରୀଙ୍କ ନାମ ଗାୟବ ରହିଛି। ସେ ହେଉଛନ୍ତି ଦିନେଶ ଗୁଣ୍ଡୁ ରାଓ, ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କ ମନ୍ତ୍ରୀମଣ୍ଡଳରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ। ତେବେ ଡି.କେ.ଶିବକୁମାରଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ତାଙ୍କ ପତ୍ନୀ ଏ ନେଇ ଏକ ଟ୍ୱିଟ୍ କରିଥିବା ବେଳେ ତାଙ୍କୁ ହୁଏତ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ମିଳିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାମଲରା ‘ସମାଧାନ’ ହୋଇସାରିଛି। ହେଲେ ଶ୍ରୀ ରେଡ୍ଡୀଙ୍କ ସୂତ୍ର ଅନୁସାରେ ସ୍ଥିତି ଏବେବି ସେଇଆ ରହିଛି।ରାମଲିଙ୍ଗା ରେଡ୍ଡୀଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ଜଳ ସଂସାଧନ ମନ୍ତ୍ରାଳୟ ଦିଆଯାଇଛି। ଏଣୁ ସେ ଅସନ୍ତୁଷ୍ଟ ଥିବା ବେଳେ ସମ୍ଭବତଃ କେନ୍ଦ୍ରୀୟ ନେତୃତ୍ୱଙ୍କ ଭେଟି ନିଜର ପକ୍ଷ ରଖି ପାରନ୍ତି। କାରଣ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି।
କଂଗ୍ରେସ ନେତୃତ୍ୱ ୫ ଜୁନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାରୀ ବୈଠକରେ ଅନୁଭବୀ ନେତାଙ୍କୁ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାପାଇଁ ବୁଝାସୁଝା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶିବ କୁମାର ଜୟନଗରର ଏକ ଘରୋଇ ହୋଟେଲରେ ରେଡ୍ଡୀଙ୍କ ସହ ପାଖାପାଖି ଅଢେଇଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ରାତି ସାଢେ ଗୋଟାଏ ବେଳେ ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆମ ପାରିବାରିକ ମାମଲା। ଆମେ ଏକାଠୀ ବସି କଥାହେବୁ ଓ ଆମେ ସମସ୍ୟାରୁ ସମାଧାନ କରିଦେବୁ। ସେ ଅଭିଯୋଗ କରିଛନ୍ତି ଏହା ଏକ ଭୁଲ ବୁଝାମଣାରୁ ହୋଇଛି, ନିଶ୍ଚିତ ରୂପେ କିଛି ଗଡ଼ବଡ଼ ହୋଇଛି ଓ ଆମେ ଏହାର ସମାଧାନ କରିଦେବୁ। ଆମେ ସବୁ ବରିଷ୍ଠ ନେତାଙ୍କୁ ଅବସର ଦେଇଛୁ। ବରିଷ୍ଠ ମନ୍ତ୍ରୀଙ୍କ ସହ ଦୀର୍ଘ ସମ୍ପର୍କକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାମଲିଙ୍ଗା ରେଡ୍ଡୀ ଓ ମୋର ସମ୍ପର୍କ ୧୯୮୦ ମସିହାରୁ ଚଳି ଆସୁଛି। ଏବେ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି, ଏହା ପୂର୍ବରୁ ମୁଁ ବି ଜଣେ ମନ୍ତ୍ରୀ ଥିଲି ଓ ସେ ବି ମନ୍ତ୍ରୀ ଅଛନ୍ତି ବୋଲି କହିଛନ୍ତି।
ସେପଟେ ଶ୍ରୀ ରେଡ୍ଡୀ ଶୁକ୍ରବାର ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଏଥିରେ ସେ ନବଗଠିତ ଶିବକୁମାର ସରକାରରେ ବିଭାଗବଣ୍ଟନ ପରେ ବେଙ୍ଗାଲୁରୁ ବିକାଶ ମନ୍ତ୍ରାଳୟ ସମ୍ପର୍କରେ ମୋତେ ଦିଆଯାଇଥିବା ଆଶ୍ୱାସନା ପାଳନ ହୋଇ ନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ସେ ତାଙ୍କ ଇସ୍ତଫା ଫେରାଇ ନେଲେ କି ବୋଲି ଯେବେ ଗଣମାଧ୍ୟମ ରେଡ୍ଡୀଙ୍କୁ ପ୍ରଶ୍ନ କଲା ସେ ଜବାବରେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି ଓ ଶିବକୁମାରଙ୍କ ଟିପ୍ପଣୀ ଦୋହରାଇଛନ୍ତି।
